ଚାକିରି ବଦଳରେ ଜମି ମାମଲାରେ ବଢୁଛି ଲାଲୁଙ୍କ ପରିବାରର ଅଡ଼ୁଆ, ୬୦୦ କୋଟିର ଦୁର୍ନୀତି ହୋଇଥିବା ଦାବି କଲା ଇଡି

ନୂଆଦିଲ୍ଲୀ : ଚାକିରି ବଦଳରେ ଜମି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାଞ୍ଚଲ୍ୟକର ଖୁଲାସା କରିଛି । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ‌ ତାଙ୍କ ପରିବାର ସମ୍ପୃକ୍ତ ଥିବା ଏହି ମାମଲାରେ ପ୍ରାୟ ୬୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଇଡି ଦାବି କରିଛି । ଏଥିମଧ୍ୟରୁ ୩୫୦ କୋଟି ଟଙ୍କାର ଜମି ଏବଂ ୨୫୦ କୋଟି ନଗଦ କାରବାର ହୋଇଛି । ତଦନ୍ତ ଜାରି ରହିଥିବା ବେଳେ ଆଗକୁ ଏହି ପରିମାଣ ଆହୁରି ବଢ଼ିପାରେ ବୋଲି କହିଛି କେନ୍ଦ୍ରୀୟ ସଂସ୍ଥା ।

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ସମ୍ପର୍କୀୟଙ୍କ ବାସଭବନରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଥିଲା । ଇଡିର ଏହି ରେଡ୍ ଦିଲ୍ଲୀ, ମୁମ୍ବାଇ, ପାଟନା ଓ ନୋଏଡା ସ୍ଥିତ ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ।

ଚଢ଼ାଉ ବେଳେ ଲାଲୁଙ୍କ ପୁଅ-ଝିଅଙ୍କ ଘରୁ ୧ କୋଟି ଟଙ୍କା ନଗଦ, ୧,୯୦୦ ଆମେରିକୀୟ ଡଲାର, ପ୍ରାୟ ୫୪୦ ଗ୍ରାମ ସୁନା ଏବଂ ଦେଢ଼ କିଲୋଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଛି ବୋଲି ଇଡି ସୂତ୍ରରୁ ପ୍ରକାଶ।

ଲାଲୁ ପ୍ରସାଦଙ୍କ ଝିଅ ରାଗିଣୀ ଯାଦବ, ଚନ୍ଦା ଯାଦବ ଏବଂ ହେମା ଯାଦବଙ୍କ ସହ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଆରଜେଡି ନେତା ଓ ପୂର୍ବତନ ବିଧାୟକ ସୟଦ ଆବୁ ଦୋଜାନା, ଅମିତ କତ୍ୟାଲ, ନବଦୀପ ସର୍ଦ୍ଦାର ଏବଂ ପ୍ରବୀଣ ଜୈନ ପ୍ରମୁଖ ବାସଭବନରେ ଇଡି ଚଢ଼ାଉ କରିଥିଲା ।

ଲାଲୁ ଯାଦବ ୨୦୦୪-୨୦୦୯ ଯାଏଁ ୟୁଏପିଏ ଶାସନ ଅମଳରେ କେନ୍ଦ୍ର ରେଳମନ୍ତ୍ରୀ ଥିବାବେଳେ ରେଳବାଇ ଗ୍ରୁପ୍ ଡି’ ଚାକିରି ପାଇଁ ଲାଲୁ ପରିବାର ଲାଞ୍ଚ ଭାବେ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଜମି ନେଇଥିଲେ। ଲାଲୁଙ୍କ ସହ ତାଙ୍କର ଅନେକ ପରିବାର ସଦସ୍ୟଙ୍କ ମଧ୍ୟ ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଲାଲୁ ଯାଦବ ପ୍ରଥମେ ପ୍ରାର୍ଥୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରୁଥିଲେ। ଜମି ଡିଲ୍ ଚୂଡ଼ାନ୍ତ ହେବା ପରେ ସେମାନଙ୍କୁ ନିୟମିତ କରାଯାଉଥିଲା।

ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସିବିଆଇ ଚାର୍ଜସିଟ୍ ଆଧାରରେ ଲାଲୁ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ରାବଡୀ ଦେବୀ, ବଡ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀଙ୍କୁ ସମନ ଜାରି କରିଥିଲେ । ସମସ୍ତଙ୍କୁ ମାର୍ଚ୍ଚ ୧୫ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତିନି ଦିନ ତଳେ ଏହି ମାମଲାରେ ସିବିଆଇ ମଧ୍ୟ ରାବଡୀ ଦେବୀ ଓ ଲାଲୁଙ୍କୁ ଜେରା କରିଥିଲା ।

ତେଜସ୍ୱୀଙ୍କୁ ଜେରା ପାଇଁ ହାଜର ହେବାକୁ ସିବିଆଇ ଶନିବାର ସମନ କରିଥିଲା । ହେଲେ ତାଙ୍କ ପତ୍ନୀ ଅସୁସ୍ଥ ଥିବା ଦର୍ଶାଇ ତେଜସ୍ୱୀ ସମୟ ମାଗିଥିଲେ ।

Comments are closed.