ଉଦ୍ଧବ ଠାକରେଙ୍କ ସହଯୋଗୀଙ୍କ ଘରେ ଇଡି ରେଡ୍, ବିଏମସି କୋଭିଡ୍ ସେଣ୍ଟର ଦୁର୍ନୀତି ମାମଲାରେ ଅନେକ ସ୍ଥାନରେ ଚଢ଼ାଉ

ମୁମ୍ବାଇ: ବିଏମସି କୋଭିଡ୍ ସେଣ୍ଟର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁମ୍ବାଇର ଉଦ୍ଧବ ଠାକରେଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି । ମୁମ୍ବାଇର ୧୬ରୁ ଅଧିକ ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି। ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀଙ୍କ ସହ ଯୁବ ସେନା ସମ୍ପାଦକ ସୁରଜ ଚଭନଙ୍କ ଘରେ ମଧ୍ୟ ତଲାସି କରୁଛି ଇଡି।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ସୋମବାର ଅଭିଯୋଗ କରିଥିଲେ ଯେ ବିଏମସିରେ ୧୨,୫୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହି ଦୁର୍ନୀତିରେ ସମ୍ପୃକ୍ତ ଲୋକଙ୍କ ଠାରୁ ପ୍ରତିଟି ପଇସା ସରକାର ଆଦାୟ କରିବେ। ସିଏଜି ରିପୋର୍ଟ ପରେ ଏହି ଘୋଟାଲା ସାମ୍ନାକୁ ଆସିଥିଲା । ମହାରାଷ୍ଟ୍ର ସରକାର ମଧ୍ୟ ଏହାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରିଛନ୍ତି।

ପୂରା ମାମଲା କ’ଣ?
କୋଭିଡ୍ କାଳରେ କୋଭିଡ୍ କେନ୍ଦ୍ରରେ ଚିକିତ୍ସା ସେବା ତଥା ଉପକରଣ ଯୋଗାଇବା ପାଇଁ ବିଏମସି ଏକ ବାହାର କମ୍ପାନୀ ସହ ଚୁକ୍ତି କରିଥିଲା ‌‌। ଏହି ସମୟରେ ଲାଇଫ୍ ଲାଇନ୍ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ସର୍ଭିସେସ ନାମକ କମ୍ପାନୀକୁ ୱର୍ଲି ଏବଂ ଦହିସରର ଜମ୍ବୁ କୋଭିଡ୍ ସେଣ୍ଟର ପାଇଁ କଣ୍ଟ୍ରାକ୍ଟ ମିଳିଥିଲା । କିନ୍ତୁ ଏହି କମ୍ପାନୀ ବୋଗସ୍ (ନକଲି) ଥିଲା ଏବଂ ଚିକିତ୍ସା କ୍ଷେତ୍ରରେ ଏହାର କୌଣସି ଅଭିଜ୍ଞତା ନଥିଲା |

ବିଜେପି ନେତା କିରିଟ ସୋମାୟା ଅଭିଯୋଗ କରିଛନ୍ତି ଯେ ଏକ ବୋଗସ୍ କମ୍ପାନୀକୁ ଚୁକ୍ତି ପ୍ରଦାନ କରି ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। କୋଭିଡ ସେଣ୍ଟରର ଚୁକ୍ତି ଜୁନ୍ ୨୦୨୦ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଲାଇଫ୍ ଲାଇନ୍ ହସ୍ପିଟାଲ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ କମ୍ପାନୀ ନାମରେ ଥିଲା। ପିଏମଆରଡିଏର ଅଧ୍ୟକ୍ଷ ଭାବେ ଏହି କମ୍ପାନୀକୁ କୌଣସି କଣ୍ଟ୍ରାକ୍ଟ ନ ଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ଦ୍ଦେଶ ଦେଇଥିଲେ । କାରଣ ଏହି କମ୍ପାନୀ ନୂଆ ଏବଂ ଅନଭିଜ୍ଞ ଥିଲା |

Comments are closed.