ଦିଲ୍ଲୀ ଅବକାରୀ ଦୁର୍ନୀତି: ସଞ୍ଜୟ ସିଂହଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଆପ୍ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ମନି ଲଣ୍ଡରିଂ ଆଇନ (ପିଏମ୍ଏଲ୍ଏ) ର ବିଭିନ୍ନ ଧାରା ଅଧୀନରେ ତଦନ୍ତକାରୀ ସଂସ୍ଥା ରାଉଜ୍ ଆଭେନ୍ୟୁ କୋର୍ଟ ଏହି ଚାର୍ଜ ସିଟ୍ ଦାଖଲ କରିଛନ୍ତି।

ଏହି ମାମଲାରେ ଏହା ଏକ ଅତିରିକ୍ତ ଚାର୍ଜ ସିଟ୍। କାରଣ ଏଜେନ୍ସି ପୂର୍ବରୁ ପ୍ରାୟ ପାଞ୍ଚଟି ଅଭିଯୋଗ ଦାଖଲ କରିସାରିଛି। ଏହି ଚାର୍ଜସିଟ୍ ୬୦ ପୃଷ୍ଠା ସମ୍ବଳିତ | ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଏଜେନ୍ସି ଇଡି ଅଭିଯୋଗ କରିଛି ଯେ ସଞ୍ଜୟ ସିଂହ ତାଙ୍କ ସହଯୋଗୀଙ୍କ ମାଧ୍ୟମରେ ସରକାରୀ ସାକ୍ଷୀ ହେଇଥିବା ଦୀନେଶ ଆରୋରାଙ୍କଠାରୁ ୨ କୋଟି ଟଙ୍କା ଲାଞ୍ଚ ନେଇଥିଲେ ।

ଅବକାରୀ ଦୁର୍ନୀତି ମାମଲାରେ ଇଡି ଅକ୍ଟୋବର ୪ରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା। ଇଡି ଅଭିଯୋଗ କରିଥିଲା ଯେ ଅବକାରୀ ନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାରେ ସଞ୍ଜୟ ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯାହା ଫଳରେ କିଛି ମଦ ପ୍ରସ୍ତୁତକାରୀ, ହୋଲସେଲର ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଆର୍ଥିକ ଲାଭ ମିଳିଥିଲା।

Comments are closed.