ଦିଲ୍ଲୀ ଅବକାରୀ ଦୁର୍ନୀତି: ମନୀଷ ସିସୋଦିଆଙ୍କ ବିରୋଧରେ ୨୦୦୦ ପୃଷ୍ଠାର ଅତିରିକ୍ତ ଚାର୍ଜସିଟ୍ ଦାଖଲ କଲା ଇଡି

ନୂଆଦିଲ୍ଲୀ: ପତ୍ନୀଙ୍କ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କରିଥିବା ଅନ୍ତରୀଣ ଜାମିନ ଆବେଦନକୁ ସିବିଆଇ ଗୁରୁବାର ବିରୋଧ କରିଛି। ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରୁଛନ୍ତି । ଏନେଇ କୋର୍ଟ ସିବିଆଇ ଠାରୁ ଜବାବ ମାଗିଛନ୍ତି। ସୂଚନା ଅନୁଯାୟୀ, ମନୀଷ ସିସୋଦିଆଙ୍କ ବିରୋଧରେ ଇଡି ମଧ୍ୟ ୨୦୦୦ ପୃଷ୍ଠାର ଏକ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି।

ପତ୍ନୀଙ୍କ ଅସୁସ୍ଥତା କାରଣରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜାମିନ ମାଗିଥିଲେ। ହେଲେ ସିବିଆଇ ତରଫରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ଏହାକୁ ବିରୋଧ କରିଥିଲେ । ସେ କହିଥିଲେ ଯେ ଅନ୍ତରୀଣ ଜାମିନ ଆବେଦନର ବହୁ ପୂର୍ବରୁ ତାଙ୍କ (ମନୀଷ ସିସୋଦିଆଙ୍କ) ପତ୍ନୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କ ଅବସ୍ଥା ଏବେ ଠିକ୍ ଅଛି ।

ଜଷ୍ଟିସ୍ ଦୀନେଶ କୁମାର ଶର୍ମା ସିସୋଦିଆଙ୍କ ନିୟମିତ ଓ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ଇଡିକୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ଏହାଛଡ଼ା ସିବିଆଇକୁ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ପ୍ରାୟ ୯ ଘଣ୍ଟା ଜେରା କରିବା ପରେ ସିବିଆଇ ତାଙ୍କୁ ଫେବୃଆରୀ ୨୬ରେ ଗିରଫ କରିଥିଲା। ଏହାପୂର୍ବରୁ ମାର୍ଚ୍ଚ ୩୧ରେ ଟ୍ରାଏଲ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ।

Comments are closed.