ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବଢ଼ିଲା ଅଡ଼ୁଆ, ୨୧୫ କୋଟି ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍ ଦାଖଲ କଲା ଇଡି

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ସହ ଜଡ଼ିତ ୨୧୫ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅଭିଯୁକ୍ତ ଭାବେ ନାମିତ କରିଛି ।

ବୁଧବାର ଇଡି ଦିଲ୍ଲୀର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ର ସ୍ୱତନ୍ତ୍ର କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି ।

ଏହି ମାମଲାରେ ଇଡି ୩୬ ବର୍ଷୀୟା ଅଭିନେତ୍ରୀଙ୍କୁ ଅନେକ ଥର ପଚରାଉଚରା କରିଥିଲା ଏବଂ ଶେଷଥର ତାଙ୍କୁ ଜୁନ୍ ମାସରେ ଜେରା କରିଥିଲା | ଶ୍ରୀଲଙ୍କାର ନାଗରିକ ଫର୍ଣ୍ଣାଣ୍ଡିଜ୍ ୨୦୦୯ରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।

ପିଏମ୍ଏଲ୍ଏ ଆଇନ ଅଧୀନରେ ଇଡି ଏପ୍ରିଲରେ ଜ୍ୟାକଲିନଙ୍କ ୭.୨୭ କୋଟି ଟଙ୍କା ମୂଲ୍ୟର ପାଣ୍ଠି ଜବତ କରିବା ସହ ୧୫ ଲକ୍ଷ ଟଙ୍କା ନଗଦ ମଧ୍ୟ ଜବତ କରିଥିଲା । ଇଡି ଏକ ବିବୃତ୍ତିରେ କହିଥିଲା ଯେ, ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୫.୭୧ କୋଟି ଟଙ୍କା ମୂଲ୍ୟର ଦାମୀ ଉପହାର ଦେଇଥିଲେ। ଚନ୍ଦ୍ରଶେଖର ତାଙ୍କର ଦୀର୍ଘ ଦିନର ସହଯୋଗୀ ଥିଲେ ଏବଂ ଏହି ମାମଲାରେ ସହ-ଅଭିଯୁକ୍ତ ପିଙ୍କି ଇରାନୀଙ୍କ ମାଧ୍ୟମରେ ଜ୍ୟାକଲିନଙ୍କୁ ଏହି ଉପହାର ଦେଇଥିଲେ।

ଏହି ଉପହାର ବ୍ୟତୀତ ଚନ୍ଦ୍ରଶେଖର ଅପରାଧର ଆୟରୁ ସହ-ଅଭିଯୁକ୍ତ ଅବତାର ସିଂ କୋଚରଙ୍କ ମାଧ୍ୟମରେ ଫର୍ଣ୍ଣାଣ୍ଡିଜଙ୍କ ନିକଟ ସମ୍ପର୍କୀୟଙ୍କୁ ୧,୭୨,୯୧୩ ଆମେରିକୀୟ ଡଲାର (ପ୍ରାୟ ୧.୩ କୋଟି ଟଙ୍କା) ଏବଂ ଅଷ୍ଟ୍ରେଲିୟ ଡଲାର ୨୬,୭୪୦ (ପ୍ରାୟ ୧୪ ଲକ୍ଷ ଟଙ୍କା) ମଧ୍ୟ ଦେଇଥିଲେ | କୋଚର ଏକ ଆନ୍ତର୍ଜାତୀୟ ହାୱାଲା ଅପରେଟର ଭାବରେ ଜଣାଶୁଣା |

ଇଡି ଅଭିଯୋଗ କରିଛି ଯେ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଉପହାର କିଣିବା ପାଇଁ ଚନ୍ଦ୍ରଶେଖର ବେଆଇନ ଅର୍ଥର ଉପଯୋଗ କରୁଥିଲା । ଯାହାକି ଫୋର୍ଟିସ୍ ହେଲଥ କେୟାରର ପ୍ରମୋଟର ଶିବିନ୍ଦର ମୋହନ ସିଂଙ୍କ ପତ୍ନୀ ଆଦିତ୍ୟ ସିଂଙ୍କ ସମେତ ହାଇ ପ୍ରୋଫାଇଲ୍ ଲୋକଙ୍କଠାରୁ ଜାଲିଆତି କରି ଆଦାୟ କରାଯାଇଥିଲା ।

Comments are closed.