ଡିଏମକେ ସାଂସଦ ଏ.ରାଜାଙ୍କ ୫୫ କୋଟିର ବେନାମୀ ସମ୍ପତ୍ତି ଜବତ କଲା ଇଡ଼ି

ଚେନ୍ନାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳ (ଇଡି) ମଙ୍ଗଳବାର ଡିଏମକେ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ.ରାଜାଙ୍କ ୫୫ କୋଟିର ୧୫ଟି ବେନାମୀ ଅସ୍ଥାବର ସମ୍ପତ୍ତି ନିଜ ଅଧୀନକୁ ନେଇଛି । ମନି ଲଣ୍ଡରିଂ ତଦନ୍ତର ଅଂଶବିଶେଷ ଭାବେ ରାଜାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି ।

ଇଡି ଏକ ବିବୃତ୍ତିରେ କହିଛି, ଏ.ରାଜାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ପିଏମ୍ଏଲ୍ଏ ଅଧୀନରେ ତାଙ୍କ ବେନାମୀ କମ୍ପାନୀ କୋଭାଇ ସେଲଟର ପ୍ରମୋଟର୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ୧୫ଟି ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି।

ଇଡି ଗତ ବର୍ଷ ଡିସେମ୍ବରରେ ତାମିଲନାଡୁର କୋଏମ୍ବାଟୁରରେ ୪୫ ଏକର ଜମି ଜବତ କରିଥିଲା । ପିଏମ୍ଏଲ୍ଏ କୋର୍ଟ ଜୁନ୍ ୧ରେ ଏହି ଆଦେଶକୁ ଅନୁମୋଦନ କରିଥିଲେ।

ଯେଉଁ ସମ୍ପତ୍ତିର‌ କେହି ନାମଧାରୀ ମାଲିକ ନାହାଁନ୍ତି ତାହାକୁ ବେନାମୀ ସମ୍ପତ୍ତି କୁହାଯାଏ । ଏପରି ସମ୍ପତ୍ତିର କ୍ରେତା ଜଣେ କିନ୍ତୁ ପ୍ରକୃତ ହିତାଧିକାରୀ ଆଉ ଜଣେ ହୋଇଥାନ୍ତି । ଏ.ରାଜା ତାମିଲନାଡୁ ନୀଳଗିରି ଲୋକସଭା ଆସନରୁ ଡିଏମକେ ସାଂସଦ ଅଛନ୍ତି ।

Comments are closed.