ବ୍ରିଟେନ ରାଜା ଚାର୍ଲ୍ସଙ୍କୁ ଅଣ୍ଡା ମାଡ଼

ଲଣ୍ଡନ: ବ୍ରିଟେନର ନୂଆ ରାଜା ଚାର୍ଲ୍ସ ତୃତୀୟଙ୍କୁ ଅଣ୍ଡା ମାଡ଼ ହୋଇଛି । ଏହି ଘଟଣା ପାଇଁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପୋଲିସ ଏ ସମ୍ପର୍କରେ ଅଧିକ ସୂଚନା ଦେଇନାହିଁ, କିନ୍ତୁ ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି ବୋଲି କୁହାଯାଇଛି । ଗତ ମାସରେ ମଧ୍ୟ କିଙ୍ଗ ଚାର୍ଲ୍ସ ଏବଂ ତାଙ୍କ ପତ୍ନୀ କାମିଲାଙ୍କ ଉପରେ ଅଣ୍ଡା ମାଡ଼ ହୋଇଥିଲା ।

ବେଡଫୋର୍ଡଶାୟର ପୋଲିସ କହିଛି ଯେ ଏହି ଘଟଣାରେ ୨୦ ରୁ ୨୫ ବର୍ଷ ବୟସର ଜଣେ ଯୁବକଙ୍କୁ ପଚରାଉଚରା କରାଯାଉଛି। ସୂଚନା ଅନୁଯାୟୀ କିଙ୍ଗ ଚାର୍ଲ୍ସ ଲଣ୍ଡନ ଠାରୁ ପ୍ରାୟ ୪୫ କିଲୋମିଟର ଉତ୍ତରରେ ଲ୍ୟୁଟନ୍ ସ୍ଥିତ ଟାଉନ୍ ହଲ୍ ବାହାରେ ଲୋକଙ୍କୁ ସାକ୍ଷାତ କରୁଥିବା ବେଳେ ତାଙ୍କ ପାଖରେ ଏକ ଅଣ୍ଡା ଆସି ପଡ଼ିଥିଲା ।

ଏହା ପରେ କିଙ୍ଗ ଚାର୍ଲ୍ସଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ । କିଛି ସମୟ ପରେ ରାଜା ଚାର୍ଲ୍ସ ପୁଣି ଫେରି ଲୋକଙ୍କୁ ଭେଟିଥିଲେ। ରିପୋର୍ଟ ଅନୁଯାୟୀ, କେବୁଲ ଚାଳିତ ନୂଆ ଡାର୍ଟ ଯାତ୍ରୀ ପରିବହନ ସେବାର ଉଦଘାଟନ ପାଇଁ ରାଜା ଚାର୍ଲ୍ସ ତୃତୀୟ ଲ୍ୟୁଟନ୍ ଆସିଥିଲେ ।

ଏହାପୂର୍ବରୁ ଗତ ମାସରେ ମଧ୍ୟ ସମାନ ଘଟଣା ଘଟିଥିଲା। ପ୍ରାୟ ମାସକ ତଳେ ଅର୍ଥାତ୍ ନଭେମ୍ବର ୯ରେ ଉତ୍ତର ଇଂଲଣ୍ଡର ୟର୍କ ସହରରେ ଜନସାଧାରଣଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ କିଙ୍ଗ ଚାର୍ଲ୍ସ ତୃତୀୟ ଏବଂ ତାଙ୍କ ପତ୍ନୀ କାମିଲାଙ୍କ ଉପରକୁ ତିନିଟି ଅଣ୍ଡା ଫିଙ୍ଗା ଯାଇଥିଲା । ଉକ୍ତ ଘଟଣାରେ ପୋଲିସ ଜଣେ ୨୩ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ଗିରଫ କରିଥିଲା।

Comments are closed.