ଗୋଆରେ କଂଗ୍ରେସକୁ ବଡ଼ ଝଟକା, ୮ ବିଧାୟକ ବିଜେପିରେ ମିଶିବେ

ପାଣାଜୀ: ଗୋଆ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଗୋଆ କଂଗ୍ରେସର ୧୧ ବିଧାୟକଙ୍କ ମଧ୍ୟରୁ ୮ ଜଣ ବୁଧବାର ଦଳ ଛାଡ଼ିଛନ୍ତି। ଗୋଆ ବିଜେପି ରାଜ୍ୟ ସଭାପତି ସଦାନନ୍ଦ ତନୱାଡେ କହିଛନ୍ତି ଯେ କଂଗ୍ରେସ ଛାଡ଼ିଥିବା ଏହି ୮ ବିଧାୟକ ବିଜେପିରେ ଯୋଗଦେବେ।

କଂଗ୍ରେସ ଛାଡିଥିବା ବିଧାୟକଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗାମ୍ବର କାମାତଙ୍କ ସମେତ ମାଇକେଲ ଲୋବୋ, ଡେଲିଆ ଲୋବୋ, କେଦାର ନାଏକ, ରାଜେଶ ଫଲଦେଶାଇ, ଆଲେକ୍ସୋ ସ୍କାଇରିୟା, ସଂକଳ୍ପ ଆମୋଲକର ଏବଂ ରୋଡଲଫ ଫର୍ଣ୍ଣାଣ୍ଡିଜ ରହିଛନ୍ତି ।

୮ ବିଧାୟକ ଦଳ ଛାଡ଼ିବା ପରେ ବିଧାନସଭାରେ କଂଗ୍ରେସର ଏବେ କେବଳ ୩ ଜଣ ସଦସ୍ୟରେ ସୀମିତ ରହିଛି । ଅନ୍ୟପକ୍ଷରେ ଶାସକ ବିଜେପିର ସଦସ୍ୟ ସଂଖ୍ୟା ୨୦ ରୁ ୨୮କୁ ବୃଦ୍ଧି ପାଇବା ନିଶ୍ଚିତ ହୋଇଯାଇଛି ।

ଚଳିତ ବର୍ଷ ଜୁଲାଇରେ ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦିଗମ୍ବର କାମାତ ଓ ମାଇକେଲ ଲୋବୋଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେତେବେଳେ ଘୋଡ଼ା ବେପାର ରୋକିବା ପାଇଁ କଂଗ୍ରେସ ନିଜର ୫ ଜଣ ବିଧାୟକଙ୍କୁ ଚେନ୍ନାଇ ନେଇଯାଇଥିଲା ।

ଏହାପୂର୍ବରୁ ୨୦୧୯ ରେ ମଧ୍ୟ ୧୫ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ବିଜେପିରେ ଯୋଗ ଦେଇଥିଲେ। ଏଥିରେ ବିରୋଧୀ ଦଳର ନେତା ଚନ୍ଦ୍ରକାନ୍ତ କାଭଲେକର ମଧ୍ୟ ସାମିଲ ଥିଲେ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସମସ୍ତ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ବିଜେପିରେ ସାମିଲ କରାଇଥିଲେ।

Comments are closed.