ଗୁପ୍ତଚରଗିରି ଅଭିଯୋଗରେ ଗିରଫ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ଛାଡ଼ିଲା କାତାର

ନୂଆଦିଲ୍ଲୀ: ଗୁପ୍ତଚରଗିରି ଅଭିଯୋଗରେ କାତାର ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀ ମୁକ୍ତ ହୋଇଛନ୍ତି । ଭାରତ ପାଇଁ ଏହା ଏକ ବଡ଼ କୂଟନୈତିକ ବିଜୟ ଭାବେ ବିବେଚନା କରାଯାଉଛି । ଭାରତର ଆବେଦନ ପରେ ଏହି ନୌସେନା ଅଧିକାରୀ ମାନଙ୍କ ବିରୋଧରେ ମୃତ୍ୟୁଦଣ୍ଡ କୋହଳ କରାଯାଇ ଜେଲଦଣ୍ଡରେ ପରିଣତ କରାଯାଇଥିଲା । କତାର ନୌସେନା ଅଧିକାରୀଙ୍କୁ ମୁକ୍ତି ନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ଭାରତ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ୮ ନୌସେନା ଅଧିକାରୀଙ୍କ ମଧ୍ୟରୁ ୭ ଜଣ ସୋମବାର ସକାଳେ ଭାରତ ଫେରିଛନ୍ତି । କତାର ଅମୀରଙ୍କ ନିଷ୍ପତ୍ତି ପ୍ରଶଂସନୀୟ। ଯାହା ଦ୍ବାରା ଭାରତୀୟ ନାଗରିକଙ୍କ ମୁକ୍ତି ଏବଂ ସ୍ବଦେଶ ଫେରିବାକୁ ବାଟ ଫିଟିଛି।

ଦୋହା ସ୍ଥିତ ‘ଡହରା ଗ୍ଲୋବାଲ’ ନାମକ କମ୍ପାନୀରେ କାମ କରୁଥିବା ୮ ଭାରତୀୟ ନାଗରିକଙ୍କୁ ଅଗଷ୍ଟ ୨୦୨୨ରେ ଇସ୍ରାଏଲ ପାଇଁ ଗୁପ୍ତଚରଗିରି ଅଭିଯୋଗରେ ଗିରଫ କରାଯାଇଥିଲା। ଗତବର୍ଷ ଅକ୍ଟୋବର ୨୬ରେ କତାରର ଏକ କୋର୍ଟ ଏମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ତେବେ ଏହି ଭାରତୀୟ ନାଗରିକଙ୍କ ବିରୋଧରେ ଅଭିଯୋଗ କ’ଣ ତାହା କତାର ସାର୍ବଜନୀନ କରିନଥିଲା । ଭାରତ ଏହି ରାୟ ବିରୋଧରେ ଅପିଲ କରିଥିଲା । ଗିରଫ ହୋଇଥିବା ୮ ଭାରତୀୟ ନୌସେନା ଅଧିକାରୀ ହେଉଛନ୍ତି ପୁର୍ଣ୍ଣେନ୍ଦୁ ତିୱାରୀ, ସୁଗୁନାକର ପାକାଲା, ଅମିତ ନାଗପାଲ, ସଞ୍ଜୀବ ଗୁପ୍ତା, ନବତେଜ ସିଂହ ଗିଲ, ବିରେନ୍ଦ୍ର କୁମାର ବର୍ମା, ସୌରଭ ବଶିଷ୍ଠ ଏବଂ ରାଗେଶ ଗୋପକୁମାର ।

Comments are closed.