ମିଆଁମାରର କୁଖ୍ୟାତ ଇନସେନ୍ ଜେଲରେ ବିସ୍ଫୋରଣ, ୮ ମୃତ

ୟେଙ୍ଗୁନ୍‌: ମିଆଁମାରର ୟେଙ୍ଗୁନ୍‌ର କୁଖ୍ୟାତ ଇନସେନ୍ ଜେଲରେ ଏକ ବଡ଼ ବିସ୍ଫୋରଣ ହୋଇଛି। ଏଥିରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ବୁଧବାର ସକାଳେ ଜେଲର ପ୍ରବେଶ ଦ୍ୱାରରେ ଦୁଇଟି ପାର୍ସଲ ବୋମା ବିସ୍ଫୋରଣ ହୋଇ ତିନି ଜଣ ଜେଲ କର୍ମଚାରୀ ଏବଂ ପାଞ୍ଚ ଜଣ ପରିଦର୍ଶକଙ୍କ ମୃତ୍ୟୁ ହୋଇଛି ।

ଇନସେନ୍ ଜେଲ ହେଉଛି ଦେଶର ସବୁଠାରୁ ବଡ କାରାଗାର, ଯେଉଁଠାରେ ପ୍ରାୟ ୧୦ ହଜାର କଏଦୀ ଅଛନ୍ତି। ଅନେକ ରାଜନୈତିକ ବନ୍ଦୀ ମଧ୍ୟ ଏହି ଜେଲରେ ରହିଛନ୍ତି।

ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି। ଏହି ବିସ୍ଫୋରଣରେ ୧୮ ଜଣ ଆହତ ହୋଇଛନ୍ତି ।

ଜଣେ ଅଧିକାରୀ କହିଛନ୍ତି ଯେ ଜେଲର ପୋଷ୍ଟ ରୁମରେ ଏହି ବୋମା ବିସ୍ଫୋରଣ ହୋଇଛି। ଆଉ ଏକ ଅଫୁଟା ବୋମା ଏକ ପ୍ଲାଷ୍ଟିକ ବ୍ୟାଗରେ ରଖାଯାଇଥିବା ଦେଖିବାକୁ ମିଳିଥିଲା।

ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ତିନି ଜେଲ କର୍ମଚାରୀଙ୍କ ବ୍ୟତୀତ ପ୍ରାଣ ହରାଇଥିବା ପାଞ୍ଚ ଜଣ ମହିଳା ସେମାନଙ୍କ ସମ୍ପର୍କୀୟ କଏଦୀମାନଙ୍କୁ ଭେଟିବାକୁ ଆସିଥିଲେ।

ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ମହିଳାଙ୍କ ମଧ୍ୟରେ ଛାତ୍ର ନେତା ଜେମ୍ସଙ୍କ ମା ମଧ୍ୟ ଅଛନ୍ତି। ଛାତ୍ର ନେତାଙ୍କୁ ଗତ ବର୍ଷ ଜୁନ୍ ମାସରେ ମିଆଁମାର ସାମରିକ କର୍ତ୍ତୃପକ୍ଷ ଗିରଫ କରିଥିଲେ। ତାଙ୍କୁ ଏକ ଚାଉଳ ବାକ୍ସ ଦେବା ପାଇଁ ତାଙ୍କ ମା ଜେଲ ଯାଇଥିଲେ।

ମାନବିକ ଅଧିକାର ଗୋଷ୍ଠୀ କହିଛନ୍ତି ଯେ ଶହେରୁ ଉର୍ଦ୍ଧ୍ବ ବର୍ଷ ପୁରୁଣା ଇନସେନ୍ ଜେଲ ବନ୍ଦୀମାନଙ୍କ ପ୍ରତି ଅମାନୁଷିକ ବ୍ୟବହାର ପାଇଁ କୁଖ୍ୟାତ।

ବର୍ତ୍ତମାନ ମିଆଁମାରରେ ସାମରିକ ଶାସନ ବଳବତ୍ତର ରହିଛି। ଗତ ବର୍ଷ ସେନା ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଅଙ୍ଗ ସାନ ସୁ କି’ଙ୍କ ଓସରକାରକୁ ଟପି କ୍ଷମତା ଦଖଲ କରିଥିଲା ।

Comments are closed.