ଭାରତ ବିରୋଧରେ ଅପପ୍ରଚାର ଅଭିଯୋଗରେ ୮ ୟୁଟ୍ୟୁବ ଚ୍ୟାନେଲ୍ ବ୍ଲକ୍

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା, ଅନ୍ୟ ଦେଶ ସହ ସମ୍ପର୍କ ତଥା ସର୍ବସାଧାରଣ ବ୍ୟବସ୍ଥା ସମ୍ପର୍କିତ ଅପପ୍ରଚାର ଅଭିଯୋଗରେ ପାକିସ୍ତାନୀ ଚ୍ୟାନେଲ ସମେତ ଆଠଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରିବାକୁ ସରକାର ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି।

ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ବ୍ଲକ୍ କରାଯାଇଥିବା ଏହି ଚ୍ୟାନେଲଗୁଡିକରେ ୧୧୪ କୋଟି ‘ଭ୍ୟୁ’ (୧୧୪ କୋଟି ଥର ଦେଖାଯଇଛି) ଏବଂ ୮୫.୭୩ ଲକ୍ଷ ଗ୍ରାହକ ଅଛନ୍ତି । ଏହାଛଡ଼ା ଏହି ଚ୍ୟାନେଲଗୁଡିକର କଣ୍ଟେଣ୍ଟରୁ ଟଙ୍କା ରୋଜଗାର କରାଯାଉଛି।

ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ-୨୦୨୧ ଅଧୀନରେ ବ୍ଲକ୍ କରାଯାଇଥିବା ଚ୍ୟାନେଲଗୁଡ଼ିକ ମଧ୍ୟରେ ୭ଟି ଭାରତୀୟ ନ୍ୟୁଜ୍ ଚ୍ୟାନେଲ ରହିଛି |

ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଭାରତ ସରକାରଙ୍କ ଦ୍ୱାରା ଧାର୍ମିକ ପୀଠକୁ ଭାଙ୍ଗିବା, ଧାର୍ମିକ ପର୍ବ ପାଳନ ଉପରେ କଟକଣା, ଭାରତରେ ଧାର୍ମିକ ଯୁଦ୍ଧ ଘୋଷଣା ଭଳି ମିଥ୍ୟା ଦାବି କରିଥିଲେ।

ବିବୃତ୍ତିରେ କୁହାଯାଇଛି ଯେ ଏପରି କଣ୍ଟେଣ୍ଟ୍ ଦେଶରେ ସାମ୍ପ୍ରଦାୟିକ ସଦ୍ଭାବ ତଥା ସାଧାରଣ ଶୃଙ୍ଖଳାରେ ବ୍ୟାଘାତ ସୃଷ୍ଟି କରିପାରେ।

ଏଥିରେ କୁହାଯାଇଛି ଯେ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ଭାରତୀୟ ସଶସ୍ତ୍ର ବାହିନୀ ଏବଂ ଜାମ୍ମୁ କାଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ମିଥ୍ୟା ଖବର ପୋଷ୍ଟ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇଥିଲା।

ଜାତୀୟ ନିରାପତ୍ତା ତଥା ଅନ୍ୟ ଦେଶ ସହ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଦୃଷ୍ଟିରୁ ଏପରି କଣ୍ଟେଣ୍ଟ୍ ସମ୍ବେଦନଶୀଳ ଏବଂ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଛି।

Comments are closed.