ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନଭିସ୍ ହେଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଗତ କିଛି ଦିନ ଧରି ଚାଲିଥିବା କ୍ଷମତା ଲଢ଼େଇ ପରେ ମହାରାଷ୍ଟ୍ରରେ ସରକାର ବଦଳିଛି । ଏବେ ରାଜ୍ୟରେ ଶିବସେନାର ଅସନ୍ତୁଷ୍ଟ ବିଧାୟକଙ୍କ ସହ ମିଳିତ ସରକାର ଗଠନ କରିଛି ବିଜେପି । ବିଦ୍ରୋହୀ ଶିବସେନା ବିଧାୟକ ଗୋଷ୍ଠୀର ନେତା ଏକନାଥ ସିନ୍ଦେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହା ସହ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଯଦିଓ ସେ ସରକାରରେ ଯୋଗଦେବେ ନାହିଁ ବୋଲି କହିଥିଲେ, ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁରୋଧ କ୍ରମେ ସେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ରାଜି ହୋଇଥିଲେ । ଏବଂ ଶେଷରେ ସିନ୍ଦେଙ୍କ ସହ ସେ ମଧ୍ୟ ରାଜ ଭବନରେ ଶପଥ ନେଇଥିଲେ। ଏପରି ବିରୋଧାଭାସକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି |

ଏହି ସମୟରେ ଦେବେନ୍ଦ୍ର ଫଡନଭିସ୍ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ ସେ ଜଣେ ପ୍ରାମାଣିକ କର୍ମୀ ଭାବରେ ଦଳର ଆଦେଶ ପାଳନ କରିଛନ୍ତି।

ଆଜି ଅପରାହ୍ନରେ ସିନ୍ଦେ ଓ ଫଡନଭିସ୍ ରାଜ୍ୟପାଳ ଭଗତ ସିଂ କୋଶୟାରିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ସିନ୍ଦେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରି ଫଡନଭିସ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଫଡନଭିସ୍ କହିଥିଲେ ସେ ସରକାରର ଅଂଶବିଶେଷ ହେବେ ନାହିଁ ବରଂ ବାହାରୁ ସମର୍ଥନ ଦେବେ।

ଫଡନଭିସ୍ କହିଥିଲେ ଯେ ବିଜେପି ଏବଂ ଶିବସେନା ଏକାଠି ମିଶି ୨୦୧୯ ବିଧାନସଭା ନିର୍ବାଚନ ଲଢିଥିଲେ। ବିଜେପି-ଶିବସେନା ମେଣ୍ଟକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଥିଲା । କିନ୍ତୁ ଉଦ୍ଧବ ଠାକରେ ଏହି ଜନାଦେଶକୁ ଅସମ୍ମାନ କରି କଂଗ୍ରେସ-ଏନସିପି ସହ ହାତ ମିଳାଇଥିଲେ ।

Comments are closed.