କର୍ଣ୍ଣାଟକ ନିର୍ବାଚନ: ଭିଏଚପିର ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ବନ୍ଦ କଲା ନିର୍ବାଚନ କମିଶନ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ବେଙ୍ଗାଲୁରୁରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ତରଫରୁ ପ୍ରସ୍ତାବିତ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଛି ନିର୍ବାଚନ କମିଶନ । ଆଜି ଭିଏଚପି ଓ ବଜରଙ୍ଗ ଦଳ କର୍ମୀମାନେ ହନୁମାନ ଚାଳିଶା ପାଠ ପାଇଁ ବେଙ୍ଗାଲୁରୁରେ ଏକାଠି ହୋଇଥିଲେ । ହେଲେ ନିର୍ବାଚନ ପାଇଁ ରାଜ୍ୟରେ ୧୪୪ ଧାରା ଲାଗୁ ହୋଇଥିବା ଦର୍ଶାଇ ନିର୍ବାଚନ କମିଶନ ସେମାନଙ୍କୁ ରୋକିଥିଲା ବୋଲି ଭିଏଚପିର ଜଣେ ସଦସ୍ୟ କହିଛନ୍ତି ।

ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ଦେଶର ପ୍ରମୁଖ ମନ୍ଦିର ଗୁଡ଼ିକରେ ସୋମବାର (ମେ ୯) ହନୁମାନ ଚାଳିଶା ପାଠ କରାଯିବ ବୋଲି ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମକୁ ‘ହନୁମତ ଶକ୍ତି ଜାଗରଣ ଅଭିଯାନ’ ଭାବେ ନାମିତ କରାଯାଇଥିଲା |

ଅନ୍ୟପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ ତାଙ୍କ ସମର୍ଥକଙ୍କ ସହ ହୁବଲିର ବିଜୟନଗରରେ ପହଞ୍ଚି ହନୁମାନ ଚାଳିଶା ପାଠ କରିଛନ୍ତି ।

କଂଗ୍ରେସ ନିଜ ଇସ୍ତାହାର ଘୋଷଣା କରିବା ପରଠୁ କର୍ଣ୍ଣାଟକ ନିର୍ବାଚନ‌ରେ ବଜରଙ୍ଗ ଦଳ ଓ ବଜରଙ୍ଗବାଲୀ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ନିଜ ନିର୍ବାଚନ ଇସ୍ତାହାରରେ କଂଗ୍ରେସ କ୍ଷମତାକୁ ଆସିଲେ ଜାତି ଓ ଧର୍ମ ଆଧାରରେ ସମ୍ପ୍ରଦାୟ ମଧ୍ୟରେ ଘୃଣା ପ୍ରସାର କରୁଥିବା ବଜରଙ୍ଗ ଦଳ ଓ ପିଏଫଆଇ ଭଳି ସଂଗଠନ ଉପରେ କଟକଣା ଲଗାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା ।

ବଜରଙ୍ଗ ଦଳକୁ ବ୍ୟାନ୍ ପାଇଁ କଂଗ୍ରେସର ପ୍ରତିଶ୍ରୁତି ନେଇ ବିବାଦ ସୃଷ୍ଟି ହୋଇଥିଲା । ଏନେଇ କଂଗ୍ରେସକୁ ଟାର୍ଗେଟ କରିଥିଲା ବିଜେପି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦେବା ବେଳେ ‘ବଜରଚଙ୍ଗବଲୀ’ କହିବାକୁ କର୍ଣ୍ଣାଟକର ଲୋକଙ୍କୁ ଆହ୍ବାନ କରିଥିଲେ । କର୍ଣ୍ଣାଟକର ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ୍ ଗ୍ରହଣ କରାଯିବ ।

Comments are closed.