ନୂଆ ମାଲିକ ଏଲନ୍ ମସ୍କଙ୍କ ବଡ଼ ଘୋଷଣା, ଟ୍ବିଟରରେ ଆଉ ମିଳିବନି ମାଗଣା ସେବା

ନୂଆଦିଲ୍ଲୀ:ଗତ ସପ୍ତାହରେ ଟ୍ୱିଟର କିଣିବା ପରେ ଚର୍ଚ୍ଚାରେ ଥିବା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏବଂ ଟ୍ୱିଟର କମ୍ପାନୀ ପୁଣି ଥରେ ଏବେ ଖବରରେ ଅଛନ୍ତି। ଏଲନ୍ ମସ୍କ କହିଛନ୍ତି ଯେ ଭବିଷ୍ୟତରେ ଟ୍ୱିଟର ଆଉ ମାଗଣା ସେବା ଯୋଗାଇବ ନାହିଁ | ଟୁଇଟ୍ କରି ଏଲନ୍ ମସ୍କ ଏହି ସୂଚନା ଦେଇଛନ୍ତି। ତେବେ ସାଧାରଣ ୟୁଜରଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଗଣା ରହିବ ବୋଲି ମସ୍କ ସ୍ପଷ୍ଟ କରିଛନ୍ତି ।

ଏଲନ୍ ମସ୍କ ତାଙ୍କ ଟ୍ୱିଟରେ କହିଛନ୍ତି ଯେ “ସାଧାରଣ ୟୁଜରଙ୍କ ପାଇଁ ଟ୍ୱିଟର ସର୍ବଦା ମାଗଣା ରହିବ। କିନ୍ତୁ ବ୍ୟବସାୟିକ ତଥା ସରକାରୀ ୟୁଜରଙ୍କୁ ଟ୍ବିଟର ବ୍ୟବହାର କରିବା ଲାଗି ଅର୍ଥ ଦେବାକୁ ପଡିବ ।”

ଟ୍ୱିଟର କିଣିବା ପରେ ଏଲନ ମସ୍କ ଏହି କମ୍ପାନୀର ମ୍ୟାନେଜମେଣ୍ଟକୁ ସମ୍ପୂର୍ଣ୍ଣ ବଦଳାଇପାରନ୍ତି| ସେ ଟ୍ୱିଟରର ବର୍ତ୍ତମାନର ସିଇଓ ପରାଗ ଅଗ୍ରୱାଲ ଏବଂ ପଲିସି ହେଡ୍ ବିଜୟ ଗଡେଙ୍କୁ ବିଦା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନେକ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଏଲନ୍ ମସ୍କ କମ୍ପାନୀରେ ଅନେକ ବଡ଼ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ତେବେ ପରାଗ ଅଗ୍ରୱାଲ ଏବଂ ବିଜୟ ଗାଡେଙ୍କୁ ହଟାଯିବ ନା ନାହିଁ ତାହା ଏପର୍ଯ୍ୟନ୍ତ କେହି ସ୍ପଷ୍ଟ କରିନାହାଁନ୍ତି।

ମସ୍କ ଦୀର୍ଘ ଦିନରୁ ଟ୍ୱିଟର କିଣିବାକୁ ଚାହୁଁଥିବା ସଙ୍କେତ ଦେଇ ଆସୁଥିଲେ । ଶେଷରେ ଏପ୍ରିଲ ୨୫ରେ ଏଲୋନ୍ ମସ୍କ ଏବଂ ଟ୍ୱିଟର ମଧ୍ୟରେ ଏନେଇ ଡିଲ୍ ହୋଇଥିଲା ଏବଂ ଟେସଲା ସିଇଓ ମସ୍କ ଏହି ମାଇକ୍ରୋ ବ୍ଲଗିଂ ସାଇଟକୁ ୪୪ ବିଲିୟନ ଡଲାର (ପ୍ରାୟ ୩ ଲକ୍ଷ କୋଟି)ରେ କିଣିଥିଲେ। ଏହି ଡିଲ୍ ପରେ ଟ୍ୱିଟରରେ ମସ୍କ ଅନେକ ପରିବର୍ତ୍ତନ କରିପାରନ୍ତି ବୋଲି ଆଲୋଚନା ହେଉଛି ।

Comments are closed.