ଟ୍ୱିଟର କିଣିବାକୁ ଚାହୁଁଛନ୍ତି ଏଲନ୍ ମସ୍କ, ଦେଲେ ୪୩ ବିଲିୟନ ଡ଼ଲାରର ଅଫର୍

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର କିଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏଥିପାଇଁ ସେ ବିପୁଳ ପରିମାଣର ଅର୍ଥ ଦେବାକୁ ପ୍ରସ୍ତୁତ | କମ୍ପାନୀର ପ୍ରତ୍ୟେକ ସେୟାର ପାଇଁ ୫୪.୨୦ ଡଲାର ଅର୍ଥାତ୍ ଟ୍ବିଟରକୁ ୪୩ ବିଲିୟନ ଡ଼ଲାରରେ କିଣିବାକୁ ଏକ ବଡ଼ ଅଫର୍ ଦେଇଛନ୍ତି ମସ୍କ । ଟେସଲା, ସ୍ପେସ୍ ଏକ୍ସ ଭଳି କମ୍ପାନୀର ମାଲିକ ମସ୍କ ପୂର୍ବରୁ ଟ୍ୱିଟରରେ ୯.୨ ପ୍ରତିଶତ ଅଂଶଧନ କିଣି ସାରିଛନ୍ତି। କିନ୍ତୁ ସେ ଟ୍ବିଟର ବୋର୍ଡ଼ ଅଫ ଡାଇରେକ୍ଟର୍ସରେ ଯୋଗ ଦେବାକୁ ମନା କରିଥିଲେ । ଏବେ ସେ ପୂରା ଟ୍ବିଟରକୁ କିଣିବା ପାଇଁ ମନ ବଳାଇଛନ୍ତି । ଏହି ଅଫର ସହିତ ସେ ଟ୍ୱିଟରକୁ ମଧ୍ୟ କହିଛନ୍ତି ଯେ ଯଦି ତାଙ୍କର ଅଫର ଗ୍ରହଣ କରାଯାଏ ନାହିଁ, ତେବେ ସେ କମ୍ପାନୀରେ ଥିବା ପୁଞ୍ଜି ବିନିଯୋଗକୁ ଏକ ନୂଆ ଦୃଷ୍ଟି ଦେଇ ପାରିବେ।

ଟ୍ୱିଟରର ବୋର୍ଡ ଅଫ୍ ଡାଇରେକ୍ଟର୍ସ ବ୍ରେଟ୍ ଟେଲରଙ୍କୁ ଏକ ଚିଠିରେ ମସ୍କ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ବୃଦ୍ଧି ପାଇବ ନାହିଁ କିମ୍ବା ଲକ୍ଷ୍ୟ ହାସଲ କରିବ ନାହିଁ। ଟ୍ୱିଟରରେ ବହୁତ ସମ୍ଭାବନା ଅଛି ଏବଂ ମୁଁ ଏହାକୁ ଏହାର ଯୋଗ୍ୟ ସ୍ଥିତିକୁ ନେବାକୁ ଚାହୁଁଛି | ପ୍ରତ୍ୟେକ ଟ୍ୱିଟର ସେୟାର ପାଇଁ ମସ୍କ ୫୪.୨୦ ଡଲାରର ଅଫର୍ ଦେଇଛନ୍ତି, ଯାହା ବୁଧବାର ବନ୍ଦ କାରବାର ମୂଲ୍ୟଠାରୁ ୧୮ ପ୍ରତିଶତ ଏବଂ ଏପ୍ରିଲ ୧ ଠାରୁ ୩୮ ପ୍ରତିଶତ ଅଧିକ | ମସ୍କ କହିଛନ୍ତି ଯେ ଏହା ହେଉଛି ସର୍ବୋତ୍ତମ ଏବଂ ଚୂଡ଼ାନ୍ତ ଅଫର |

ମସ୍କଙ୍କ ଏହି ଲୋଭନୀୟ ଅଫରକୁ ଟ୍ବିଟର ଗ୍ରହଣ କରୁଛି କି ନାହିଁ ତା’ଉପରେ ଏବେ ସମସ୍ତଙ୍କର ନଜର ରହିଛି ।

Comments are closed.