ଏଲନ୍ ମସ୍କ ହେଲେ ଟ୍ବିଟରର ନୂଆ ମାଲିକ, ସିଇଓ ପରାଗ ଅଗ୍ରୱାଲଙ୍କ ସହ ଚାରି ବରିଷ୍ଠ ଅଧିକାରୀଙ୍କୁ ହଟାଇଲେ

ସାନ୍ ଫ୍ରାନ୍ସିସ୍କୋ: ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏବେ ଟ୍ୱିଟରର ନୂଆ ମାଲିକ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ ଏହି ସୋସିଆଲ ମିଡ଼ିଆ କମ୍ପାନୀର ମାଲିକାନା ହାସଲ କରିବା କ୍ଷଣି ସେ ଏହାର ଭାରତୀୟ ବଂଶୋଦ୍ଭବ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ପରାଗ ଅଗ୍ରୱାଲ ଏବଂ ଆଇନ ବ୍ୟାପାର କାର୍ଯ୍ୟନିର୍ବାହୀ ବିଜୟ ଗଡେ ସମେତ ଚାରି ବରିଷ୍ଠ ଅଧିକାରୀଙ୍କୁ ହଟାଇ ଦେଇଛନ୍ତି।

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଟ୍ୱିଟରକୁ କିଣିବା ପାଇଁ ମସ୍କ ଯେଉଁ ୪୪ ବିଲିୟନ ଆମେରିକୀୟ ଡଲାରର ଡିଲ୍ କରିଥିଲେ ତାହା କୋର୍ଟ ନିର୍ଦ୍ଦେଶ ଅନୁସାରେ ସେ ଗୁରୁବାର କାର୍ଯ୍ୟକାରୀ କରିଛନ୍ତି । ଏହାଛଡ଼ା ସେ ଏହି କମ୍ପାନୀର ଅତି କମରେ ଚାରିଜଣ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହଟାଇବା ସହିତ ଅନ୍ୟ କିଛି ପଦାଧିକାରୀଙ୍କ ଛୁଟି ମଧ୍ୟ କରିଛନ୍ତି ।

ଖବର ଅନୁଯାୟୀ, ଟ୍ବିଟର ଯେଉଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହଟାଯାଇଛି ସେମାନଙ୍କ ମଧ୍ୟରେ ଅଗ୍ରୱାଲ ଏବଂ ଗାଡେଙ୍କ ବ୍ୟତୀତ ମୁଖ୍ୟ ବିତ୍ତୀୟ ଅଧିକାରୀ ନେଡ ସେଗାଲ ଏବଂ ଜେନେରାଲ କାଉନସିଲ ସେନ୍ ଆଗେଟ ମଧ୍ୟ ଅଛନ୍ତି ।

ଗତ ବର୍ଷ ନଭେମ୍ବରରେ କମ୍ପାନୀର ସହପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସିଙ୍କ ଇସ୍ତଫା ପରେ ପରାଗ ଅଗ୍ରୱାଲ ଟ୍ୱିଟରର ସିଇଓ ଭାବେ ନିଯୁକ୍ତ ହୋଇଥିଲେ।

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ବମ୍ବେ ଏବଂ ଷ୍ଟାନଫୋର୍ଡ ୟୁନିଭରସିଟିରେ ଅଧ୍ୟୟନ କରିଥିବା ଅଗ୍ରୱାଲ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଟ୍ୱିଟରରେ କାମ କରୁଥିଲେ। ସେ ଯେବେ ଟ୍ବିଟରରେ ଯୋଗ ଦେଇଥିଲେ ସେତେବେଳେ ଏହି କମ୍ପାନୀରେ ୧୦୦୦ରୁ ଊର୍ଦ୍ଧ୍ବ କମ୍ କର୍ମଚାରୀ ଥିଲେ |

‘ନ୍ୟୁୟର୍କ ଟାଇମ୍ସ’ର ଖବର ଅନୁଯାୟୀ, ଗତ ବର୍ଷ ଟ୍ୱିଟରର ସିଇଓ ଭାବରେ ନିଯୁକ୍ତ ହୋଇଥିବା ଅଗ୍ରୱାଲ ଓ ମସ୍କଙ୍କ ମଧ୍ୟରେ ତିକ୍ତତା ଥିଲା । ସର୍ବସାଧାରଣ ତଥା ବ୍ୟକ୍ତିଗତ ଭାବେ ମସ୍କଙ୍କ ସହ ସେ ବହୁଥର ବାକଯୁଦ୍ଧରେ ସମ୍ପୃକ୍ତ ଥିଲେ । ‘କଣ୍ଟେଣ୍ଟ ମଡରେସନ’ (ଅନଲାଇନ୍ କଣ୍ଟେଣ୍ଟ ଉପରେ ନଜର ରଖିବା ଏବଂ ସର୍ଟ କରିବାର ପ୍ରକ୍ରିୟା) ନେଇ ମସ୍କ, ଗଡେଙ୍କୁ ମଧ୍ୟ ସର୍ବସାଧାରଣରେ ସମାଲୋଚନା କରିଥିଲେ।

Comments are closed.