ମାଲାନଙ୍କ ଶତକ: ବାଂଲାଦେଶକୁ ୧୩୭ ରନରେ ହରାଇଲା ଇଂଲଣ୍ଡ

ଧର୍ମଶାଳା: ପ୍ରଥମ ମ୍ୟାଚରେ ନ୍ୟୁଜଲାଣ୍ଡ ଠାରୁ ହାରିବା ପରେ ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡ ଚଳିତ ଦିନିକିଆ ବିଶ୍ୱକପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଡେବିଡ୍ ମାଲାନଙ୍କ ଚମତ୍କାର ଶତକ ସହ ବେୟାରଷ୍ଟୋ ଓ ରୁଟଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ମଙ୍ଗଳବାର ବିଶ୍ବକପର ସପ୍ତମ ମ୍ୟାଚରେ ବାଂଲାଦେଶକୁ ୧୩୭ ରନରେ ହରାଇ ପଏଣ୍ଟ୍ ଖାତା ଖୋଲିଛି । ବାଂଲାଦେଶ ବିପକ୍ଷରେ ଇଂଲଣ୍ଡର ଏହା ହେଉଛି ସବୁଠାରୁ ବଡ଼ ବିଜୟ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦ ଓଭରରେ ୯ ୱିକେଟ୍ ହରାଇ ୩୬୪ ରନର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ବାଂଲାଦେଶ ୪୮.୨ ଓଭରରେ ୨୨୭ ରନ୍ କରି ଆଉଟ୍ ହୋଇଯାଇଥିଲା।

ଇଂଲଣ୍ଡ ପାଇଁ ଡେଭିଡ ମାଲାନ ୧୦୭ ବଲରେ ୧୬ଟି ଚୌକା ଓ ୫ଟି ଛକା ସହ ୧୪୦ ରନ୍ କରିଥିଲେ । ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ ଜୋ ରୁଟ୍ । ସେ ୬୮ ବଲରେ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୮୨ ରନର ଇନିଂସ ଖେଳିଥିଲେ। ବେୟାରଷ୍ଟୋ ୫୯ ବଲରେ ୮ଟି ଚୌକା ସହ ୫୨ ରନ୍ କରିଥିଲେ । ବାଂଲାଦେଶ ତରଫରୁ ମେହେଦି ହସନ ୪ଟି ୱିକେଟ୍ ନେଇଥିବା ବେଳେ ସୋରିଫୁଲ୍ ଇସଲାମ୍ ୩ଟି ଓ୍ବିକେଟ୍ ପାଇଥିଲେ।

ବାଂଲାଦେଶ ଉପରେ ବୃହତ୍ ବିଜୟ ପରେ ଇଂଲଣ୍ଡ ପଏଣ୍ଟ ଟେବୁଲରେ ଦଶମରୁ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଦଳର ୨ ପଏଣ୍ଟ ରହିଛି। ଅନ୍ୟପକ୍ଷରେ ବାଂଲାଦେଶ ଦୁଇଟି ମ୍ୟାଚରୁ ୨ ପଏଣ୍ଟ ପାଇ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହିତ ପଞ୍ଚମ ସ୍ଥାନରେ ଅଛି |

୩୬୫ ରନ୍‌ର ଟାର୍ଗେଟକୁ ପିଛାକରି ବାଂଲାଦେଶ ଦଳ ଖରାପ ଆରମ୍ଭ କରିଥିଲା। ଦଳ କେବଳ ୪୯ ରନରେ ୪ଟି ୱିକେଟ୍ ହରାଇଥିଲା । ଦଳ ତରଫରୁ ଲିଟନ୍ ଦାସ ସର୍ବାଧିକ ୭୬ ରନ୍ ଓ ମୁଶଫିକୁର ରହିମ୍ ୫୧ ରନ୍ କରିଥିଲେ। କିନ୍ତୁ ଏ ଦୁହିଁଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ କୌଣସି ବ୍ୟାଟର ସଫଳ ହୋଇନଥିଲେ । ନିୟମିତ ଓ୍ବିକେଟ୍ ହରାଇ ବାଂଲାଦେଶ ୨୨୭ ରନରେ ଅଲ୍ଆଉଟ୍ ହୋଇଯାଇଥିଲା।

ଇଂଲଣ୍ଡ ପକ୍ଷରୁ ରିସ୍ ଟପଲେ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ କ୍ରିସ୍ ଓ୍ବକ୍ସଙ୍କୁ ୨ଟି ୱିକେଟ୍ ମିଳିଥିଲା । ସାମ୍ କରନ, ମାର୍କ ଉଡ୍, ଆଦିଲ ରସିଦ ଓ ଲିଆମ୍ ଲିଭିଙ୍ଗଷ୍ଟନ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

Comments are closed.