ଆଜି ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ, ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ

ଆବୁଧାବି: ଟି୨୦ ବିଶ୍ୱକପରେ ବୁଧବାର ପ୍ରଥମ ସେମିଫାଇନାଲରେ ଟାଇଟଲ ଦାବିଦାର ଇଂଲଣ୍ଡର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବ । ବିଶ୍ୱକପ୍ ଆରମ୍ଭରୁ ଟାଇଟଲ୍ ଫେଭରିଟ୍ ବିବେଚିତ ହେଉଥିବା ଇଂଲଣ୍ଡ ସୁପର-୧୨ ପର୍ଯ୍ୟାୟରେ ପ୍ରଥମ ଚାରୋଟି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ସହ ଏହି ମାନ୍ୟତାକୁ ଯଥାର୍ଥ ସାବ୍ୟସ୍ତ କରିଥିଲା । ହେଲେ ନିଜ ଶେଷ ସୁପର-୧୨ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ଇଂଲଣ୍ଡ ହାରିଯାଇଥିଲା । ତେଣୁ ଇଂଲଣ୍ଡକୁ ହରାଇ ଯାଇପାରିବ ବୋଲି ସେହି ମ୍ୟାଚରୁ ପ୍ରମାଣିତ ହୋଇଛି । ଦକ୍ଷିଣ ଆଫ୍ରିକାର ଉକ୍ତ ବିଜୟରୁ ନ୍ୟୁଜିଲାଣ୍ଡ ପ୍ରେରଣା ହାସଲ କରି ଇଂଲଣ୍ଡକୁ ସେମିଫାଇନାଲରେ ଧରାଶାୟୀ କରିବାକୁ ଚାହିଁବ । ସେପଟେ ସେମିଫାଇନାଲ ପୂର୍ବରୁ ଦଳରେ ଆଘାତ ସମସ୍ୟା ଇଂଲଣ୍ଡ ପାଇଁ ଚିନ୍ତାର କାରଣ ହୋଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ମ୍ୟାଚରେ ଦଳର ଷ୍ଟାର ଓପନର ଜାସନ ରୟ ଆଘାତପ୍ରାପ୍ତ ହୋଇଥିଲେ । ପେଣ୍ଡାରେ ଆଘାତ ଯୋଗୁଁ ରୟ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଜୋସ ବଟଲର ଓ ଜାସନ ରୟ ଚଳିତ ବିଶ୍ୱକପରେ ସବୁଠୁ ବିଧ୍ୱଂସୀ ଓପନିଂ ଯୋଡି ସାବ୍ୟସ୍ତ ହୋଇଥିଲେ । ହେଲେ ରୟଙ୍କ ଅନୁପସ୍ଥିତି ଇଂଲଣ୍ଡ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି । ରୟଙ୍କ ଅନୁପସ୍ଥିତିରେ ସେମିଫାଇନାଲରେ ବଟଲରଙ୍କ ସହ ଜନି ବେୟାରଷ୍ଟୋ ଇନିଂସ୍ ଓପନ୍ କରିବା ସମ୍ଭାବନା ରହିଛି । ଚମତ୍କାର ଫର୍ମରେ ଥିବା ବଟଲର ସେମିଫାଇନାଲରେ ଆଉ ଏକ ମ୍ୟାଚ୍ ବିଜୟୀ ପାଳି ଖେଳିବେ ବୋଲି ଇଂଲଣ୍ଡ ଆଶା ରଖିଛି ।

ରୟଙ୍କ ସ୍ଥାନ ପୂରଣ କରିବା ପାଇଁ ସାମ୍ ବିଲିଙ୍ଗ୍‌ସଙ୍କୁ ଇଂଲଣ୍ଡ ଦଳରେ ସାମିଲ କରାଯାଇପାରେ । ସେ ମଧ୍ୟକ୍ରମରେ ବ୍ୟାଟିଂ କରିବେ ବୋଲି ମନେ କରାଯାଉଛି । ରୟ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବା ସତ୍ତ୍ୱେ ଇଂଲଣ୍ଡ ପାଇଁ ଭଲ ଖବର ହେଉଛି ଦଳର ସବୁ ବ୍ୟାଟ୍ସମ୍ୟାନ୍ ଚଳିତ ବିଶ୍ୱକପରେ ଆବଶ୍ୟକ ସମୟ କ୍ରିଜରେ ବିତାଇଛନ୍ତି । ତେବେ ରୟଙ୍କ ସହ ବୋଲିଂ ବିଭାଗରେ ମଧ୍ୟ ଇଂଲଣ୍ଡକୁ ଝଟକା ଲାଗିଛି । ଦ୍ରୁତ ବୋଲର ଟିମାଲ ମିଲ୍ସ ମଧ୍ୟ ଆଘାତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ମିଲ୍ସ ଡେଥ ଓଭର ଗୁଡିକରେ ପ୍ରତିପକ୍ଷ ଦଳର ରନ୍ ରୋକିବାରେ ସଫଳ ହୋଇଥିଲେ । ତାଙ୍କ ଅନୁପସ୍ଥିତି ଭରଣା କରିବା ପାଇଁ ଇଂଲଣ୍ଡକୁ ଯଥାଯୋଗ୍ୟ ବିକଳ୍ପ ଖୋଜିବାକୁ ହେବ । ଯଦିଓ ଇଂଲଣ୍ଡ ପାଖରେ ମାର୍କ ଉଡଙ୍କ ଭଳି ବେଗବାନ ବୋଲର ଅଛନ୍ତି, ତେବେ ମିଲ୍ସଙ୍କ ଭଳି ତାଙ୍କ ବୋଲିଂରେ ବିବିଧତା ନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଉଡ୍ ଅତ୍ୟଧିକ ରନ୍ ଲିକ୍ କରିଥିଲେ । ସେମିରେ ଉଡଙ୍କ ଠାରୁ ଉନ୍ନତ ପ୍ରଦର୍ଶନର ଆଶା କରିବ ଇଂଲଣ୍ଡ । ସେହିପରି ଅଭିଜ୍ଞ ଯୋଡି ମୋଇନ୍ ଅଲ୍ଲୀ ଓ ଆଦିଲ ରସିଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ।

ସେମିଫାଇନାଲ ପାଇଁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଟିମ୍ ଯେବେ ପଡିଆକୁ ଓହ୍ଲାଇବେ, ଉଭୟ ଦଳର ଖେଳାଳିଙ୍କ ମନରେ ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ସ୍ମୃତି ନିଶ୍ଚୟ ତାଜା ହୋଇଯିବ । ଦିନିକିଆ ବିଶ୍ୱକପ୍ ଇତିହାସର ସବୁଠୁ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକ ଫାଇନାଲ ଭାବେ ବିବେଚିତ ଉକ୍ତ ମ୍ୟାଚ୍ ଦୁଇ ଥର ଟାଇ ହୋଇଥିଲା । ହେଲେ ଦୁର୍ଭାଗ୍ୟଜନକ ଭାବେ ବିବାଦୀୟ ‘ବାଉଣ୍ଡରୀ ଗଣନା’ ନିୟମ ବଳରେ ଇଂଲଣ୍ଡକୁ ଚାମ୍ପିୟନ ଘୋଷିତ କରାଯାଇଥିଲା । ସେହି ଫାଇନାଲର ପ୍ରତିଶୋଧ ନେବାକୁ ଚାହିଁବ ନ୍ୟୁଜିଲାଣ୍ଡ ।

୨୦୧୯ ଦିନିକିଆ ବିଶ୍ୱକପ୍ ଫାଇନାଲଠୁ ନ୍ୟୁଜିଲାଣ୍ଡ ସବୁ ଫର୍ମାଟରେ ସ୍ଥିର ପ୍ରଦର୍ଶନ ସହ ଅନେକ ବଡ ଟିମକୁ ଧରାଶାୟୀ କରିଛି । ଏପରିକି କେନ୍ ୱିଲିୟମସନଙ୍କ ଦଳ ଏହାରି ଭିତରେ ଏକ ଆଇସିସି ଟ୍ରଫି (ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌) ମଧ୍ୟ ଜିତିଛି । ବିଶ୍ୱ କ୍ରିକେଟର ସବୁଠୁ ଶୃଙ୍ଖଳିତ ଦଳ ଭାବେ ପରିଚିତ ନ୍ୟୁଜିଲାଣ୍ଡ ଏହି ଟି୨୦ ବିଶ୍ୱକପରେ ବି କ୍ରମାଗତ ଭଲ ପ୍ରଦର୍ଶନ କରିଛି ଏବଂ ପ୍ରଥମ ଥର ଟାଇଟଲ ଜିତିବାର ନିକଟତର ହୋଇଛି । ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡର ବୋଲିଂ ଆକ୍ରମଣ ଅନ୍ୟ ଦଳମାନଙ୍କ ତୁଳନାରେ ବେଶ୍ ସନ୍ତୁଳିତ ଓ ଶ୍ରେଷ୍ଠ ମନେ ହେଉଛି । ଭାରତ ଭଳି ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପକୁ ମାତ୍ର ୧୧୦ ରନର ସୀମିତ ରଖିବା ନ୍ୟୁଜିଲାଣ୍ଡ ବୋଲିଂ ଆକ୍ରମଣର ଦକ୍ଷତାକୁ ସୂଚାଉଛି । ସେହିପରି ଆଫଗାନିସ୍ତାନ ଭଳି ବିପଜ୍ଜନକ ଦଳକୁ ମଧ୍ୟ ୧୨୫ ରନରେ ରୋକିବାରେ ସମର୍ଥ ହୋଇଥିଲେ ନ୍ୟୁଜିଲାଣ୍ଡ ବୋଲର । ବିଶେଷକରି ଅଭିଜ୍ଞ ଦ୍ରୁତ ବୋଲର ଯୋଡି ଟିମ୍ ସାଉଦି ଓ ଟ୍ରେଣ୍ଟ ବୋଲ୍ଟ ପ୍ରଥମ କିଛି ଓଭରରେ ପ୍ରତିପକ୍ଷ ବ୍ୟାଟ୍‌ସ୍ୟାନଙ୍କୁ ବ୍ୟାକଫୁଟକୁ ଠେଲି ରନ୍ ହାର ଉପର ଅଙ୍କୁଶ ଲଗାଇବାରେ ସଫଳ ହୋଇଛନ୍ତି । ଇଂଲଣ୍ଡର ବିଧ୍ୱଂସୀ ବ୍ୟାଟିଂ ଲାଇନ୍ ଅପ୍ ବିପକ୍ଷରେ ନ୍ୟୁଜଲାଣ୍ଡର ଏହି ଷ୍ଟାର ପେସ୍ ଯୋଡି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ସ୍ପିନର ଇଶ ସୋଧି ଓ ମିଚେଲ ସାଣ୍ଟନର ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ।

ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଭେଟେରାନ ଓପନର ମାର୍ଟିନ ଗପ୍ଟିଲ ଭଲ ଫର୍ମରେ ଅଛନ୍ତି । ଗପ୍ଟିଲଙ୍କ ଓପନିଂ ପାର୍ଟନର ଡାରିଲ ମିଚେଲ ମଧ୍ୟ ଲୟରେ ଅଛନ୍ତି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଅଧିନାୟକ କେନ୍ ୱିଲିୟମସନ୍ ଅପରାଜିତ ୪୦ ରନ୍ କରି ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ । ଇଂଲଣ୍ଡ ବିପକ୍ଷ ସେମିରେ ସେ ଏକ ବଡ଼ ଇନିଂସ୍ ଖେଳିବା ଲକ୍ଷ୍ୟରେ ରହିବେ । ଚଳିତ ବିଶ୍ୱକପର ସବୁ ଭେନ୍ୟୁ ମଧ୍ୟରୁ ଆବୁଧାବି ବ୍ୟାଟିଂ ଉପଯୋଗୀ ସାବ୍ୟସ୍ତ ହୋଇଛି । ଇଂଲଣ୍ଡ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମଧ୍ୟ ହାଇ ସ୍କୋରିଂ ହେବ ବୋଲି ଆଶା କରାଯାଉଛି ।

Comments are closed.