ଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଗୁରୁବାର ଠାରୁ ଆରମ୍ଭ ହେଉଛି । ବିଗତ ୧୨ ବର୍ଷରେ ଭାରତ କୌଣସି ଘରୋଇ ସିରିଜ୍ ହାରିନଥିବା ବେଳେ ଇଂଲଣ୍ଡ ବିପକ୍ଷରେ ଏହି ଧାରା ଜାରି ରଖିବାକୁ ଚାହିଁବ। ଇଂଲଣ୍ଡ ନିଜର ଚିରାଚରିତ ‘ବାଜବଲ୍’ ଉପରେ ଭରସା କରିଥିବା ବେଳେ ଭାରତ ଏହାର ସ୍ପିନରଙ୍କୁ ଅସ୍ତ୍ର କରିବ । ଶେଷ ଥର ପାଇଁ ଭାରତ ୨୦୧୨ରେ ଘରୋଇ ମାଟିରେ ଏକ ଟେଷ୍ଟ ସିରିଜ୍ ହାରିଥିଲା। ତାହା ମଧ୍ୟ ଇଂଲଣ୍ଡ ଠାରୁ ହିଁ ହାରିଥିଲା ।

ଇତିମଧ୍ୟରେ ଭାରତ ୧୬ଟି ସିରିଜ୍ ଘରୋଇ ମାଟିରେ ବିଜୟୀ ହୋଇଥିବା ବେଳେ ଏଥିରୁ ୭ଟି କ୍ଲିନ୍‌ ସୁଇପ୍ କରିଛି। ୧୨ ବର୍ଷ ମଧ୍ୟରେ ଭାରତ ୪୪ଟେଷ୍ଟ ଖେଳିଥିବା ବେଳେ ଏଥିରୁ ମାତ୍ର ୩ ମ୍ୟାଚରେ ପରାଜିତ ହୋଇଛି। ଘରୋଇ ମାଟିରେ ଭାରତ ପାଇଁ ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କ ଭୂମିକା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅପରପକ୍ଷରେ ଇଂଲଣ୍ଡ ‘ବାଜବଲ୍‌’ କ୍ରିକେଟ ଖେଳୁଛି। ପରସ୍ଥିତି ଯାହାବି ଥାଉ ନା କାହିଁକି ଦଳ ଆକ୍ରମଣାତ୍ମକ କ୍ରିକେଟ ଖେଳିବା ଉପରେ ଗୁରୁତ୍ଵ ଦେଉଛି । ଏଭଳି ପରିସ୍ଥିତିରେ ଗୁରୁବାର ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ରୋକିବା ପାଇଁ ଭାରତ ଏହାର ଦୁଇ ସ୍ପିନରଙ୍କ ଉପରେ ନିର୍ଭର କରିବ ।

ଏହି ସମୟ ମଧ୍ୟରେ ଅଶ୍ୱିନ ୪୬ ଟେଷ୍ଟରୁ ୨୮୩ ଓ୍ବିକେଟ୍ ନେଇଥିବା ବେଳେ‌ ଜାଡେଜା ୩୯ ଟେଷ୍ଟରୁ ୧୯୧ ଓ୍ବିକେଟ୍ ନେଇଛନ୍ତି। ସେହିପରି ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ତୃତୀୟ ସ୍ପିନର ଭାବେ ଖେଳିପାରନ୍ତି। ଭାରତୀୟ ଉପମହାଦେଶର ପିଚ୍ ଇଂଲଣ୍ଡ ଖେଳାଳିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେବେ ବିରାଟ କୋହଲିଙ୍କ ଅନୁପସ୍ଥିତି ଇଂଲଣ୍ଡ ପାଇଁ ଏକମାତ୍ର ଆଶ୍ବସ୍ତିକର ବିଷୟ । ବ୍ୟକ୍ତିଗତ କାରଣରୁ କୋହଲି ସିରିଜର ପ୍ରଥମ ଦୁଇ‌ ଟେଷ୍ଟ ଖେଳିବେନି ।

Comments are closed.