ଏକଜିଟ୍ ପୋଲ: ଗୁଜରାଟରେ ପୁଣି ବିଜେପି, ହିମାଚଳ ପ୍ରଦେଶରେ କଡ଼ା ଟକ୍କର 

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭାର ଦ୍ୱିତୀୟ ପର୍ୟ୍ୟାୟ ପାଇଁ ମତଦାନ ସୋମବାର ଶେଷ ହୋଇଛି। ଏବେ ୮ ଡିସେମ୍ବରରେ ଗୁଜରାଟ ସହ ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳକୁ ଅପେକ୍ଷା । ତେବେ ତା’ପୂର୍ବରୁ ବିଭିନ୍ନ ସଂସ୍ଥା ତରଫରୁ ହୋଇଥିବା ଏକଜିଟ୍ ପୋଲରେ ଗୁଜରାଟରେ ସପ୍ତମ ଥର ବିଜେପି ସରକାର ଗଠନ କରୁଥିବା ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ।

ତିନୋଟି ଏକଜିଟ୍ ସର୍ଭେ ଅନୁଯାୟୀ ଗୁଜରାଟରେ ସପ୍ତମ ଥର ପାଇଁ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବ। ବିଜେପିକୁ ୧୩୦ ରୁ ୧୪୦ ଆସନ ମିଳିପାରେ । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୯୯ ଟି ସିଟ୍ ପାଇଥିଲା। ଅର୍ଥାତ୍ ଗଚଥର ଅପେକ୍ଷା ବିଜେପିର ସିଟ୍ ସଂଖ୍ୟା ଏଥର ବଢ଼ିବ ବୋଲି ଏକଜିଟ୍ ପୋଲରେ କୁହାଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ପୁଣି ଥରେ ବିପର୍ୟ୍ୟୟର ସମ୍ମୁଖୀନ ହେବ । ତିନୋଟି ସର୍ଭେରେ କଂଗ୍ରେସକୁ ଗୁଜରାଟର ମାତ୍ର ୩୦ ରୁ ୫୦ ଟି ସିଟ୍ ପାଇବ। ଏବଂ ଏଥର ଆପ୍ ଗୁଜରାଟରେ ଖାତା ଖୋଲୁଥିବାର ଦେଖାଯାଉଛି । ଏଠାରେ ଦଳ ୩ ରୁ ୧୩ଟି ସିଟ୍ ପାଇବ ବୋଲି ପୂର୍ବାନୁମାନ କରାଯାଇଛି।

୨୦୧୭ ନିର୍ବାଚନରେ ​​ଗୁଜରାଟ ବିଧାନସଭା ନିର୍ବାଚନରେ ​​ବିଜେପି ୧୮୨ ଟି ଆସନ ମଧ୍ୟରୁ ୯୯ ଟି ଜିତିଥିଲା ଓ କଂଗ୍ରେସ ୭୭ ଟି ଆସନ ପାଇଥିଲା।

ଏକଜିଟ୍ ସର୍ଭେ ଅନୁଯାୟୀ ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ ମୁକାବିଲା ହେବ । ଚାରୋଟି ଏଜେନ୍ସିର ପୂର୍ବାନୁମାନ ଅନୁଯାୟୀ ବିଜେପି ୩୨ ରୁ ୪୦ ମଧ୍ୟରେ ଅର୍ଥାତ୍ ସଂଖ୍ୟାଗରିଷ୍ଠତାର ନିକଟତର ହେବ। କିନ୍ତୁ କଂଗ୍ରେସ ମଧ୍ୟ ବହୁମତର ନିକଟତର ହୋଇପାରେ। ଏହି ଚାରୋଟି ସର୍ଭେରେ କଂଗ୍ରେସ ୨୭ ରୁ ୩୪ ଟି ଆସନ ପାଇବ ବୋଲି ଆକଳନ କରାଯାଇଛି।

ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶର ୬୮ ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ଏଥର ମଧ୍ୟ ମୁଖ୍ୟ ପ୍ରତିଯୋଗିତା ବିଜେପି ଏବଂ କଂଗ୍ରେସ ମଧ୍ୟରେ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିଲା। ୨୦୧୭ ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ହିମାଚଳ ବିଧାନସଭାର ୬୮ ଟି ସିଟ୍ ମଧ୍ୟରୁ ବିଜେପି ୪୪ ଟି ସିଟ୍ ଜିତିଥିଲା । କଂଗ୍ରେସ ୨୧ଟି ଆସନ ପାଇଥିଲା।

Comments are closed.