ମଣିଷ ଉପସ୍ଥିତି ସହ ଅଭ୍ୟସ୍ତ ଥିବା କମ୍ ବୟସର ଚିତା ଆଣିବାକୁ ସରକାରଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: କୁନୋ ନ୍ୟାସନାଲ ପାର୍କରେ ଆଫ୍ରିକାରୁ ଅଣାଯାଇଥିବା ଚିତାଙ୍କ ମୃତ୍ୟୁ ସରକାରଙ୍କ ‘ପ୍ରୋଜେକ୍ଟ ଚିତା’ ପାଇଁ ଚିନ୍ତାର ବିଷୟ ହୋଇଛି। ଏଠାରେ ଗତ ୧୧ ମାସରେ ୯ଟି ଚିତା ଆଖି ବୁଜିଲେଣି । ଏଭଳି ସ୍ଥିତିରେ ବିଶେଷଜ୍ଞମାନେ ଭାରତ ସରକାରଙ୍କୁ ମଣିଷ ଉପସ୍ଥିତି ସହ ଅଭ୍ୟସ୍ତ ଥିବା କମ୍ ବୟସର ଚିତା ଆଣିବାକୁ ପରାମର୍ଶ ଦେଇଛନ୍ତି । ଯଦି ଏପରି ଚିତା ଅଣାଯାଏ ତେବେ ସେମାନେ ଦୀର୍ଘ ଦିନ ବଞ୍ଚିବା ସମ୍ଭାବନା ଅଧିକ। ଭାରତରେ ଚିତା ପୁନଃ ଥଇଥାନ ପାଇଁ କୁନୋ ପରିବର୍ତ୍ତେ ଅନ୍ୟ ସ୍ଥାନ ଚିହ୍ନଟ କରିବାକୁ ମଧ୍ୟ ‘ପ୍ରୋଜେକ୍ଟ ଚିତା’ ଅନ୍ତର୍ଗତ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଗତବର୍ଷ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ଦୁଇଟି ଗ୍ରୁପରେ ଚିତା ଅଣାଯାଇ କୁନୋରେ ଛଡ଼ା ଯାଇଥିଲା |

ସରକାରଙ୍କୁ ପ୍ରଦାନ କରିଥିବା ଏକ ରିପୋର୍ଟରେ ବିଶେଷଜ୍ଞମାନେ କହିଛନ୍ତି ଯେ କମ୍ ବୟସର ଚିତା ନୂଆ ପରିବେଶ ସହ ସହଜରେ ଖାପ ଖାଇପାରେ। ବୟସ୍କ ଚିତା ଅପେକ୍ଷା ସେମାନଙ୍କର ବେଶି ଦିନ ବଞ୍ଚିବାର ହାର ମଧ୍ୟ ଅଧିକ | କମ୍ ବୟସର ଅଣ୍ଡିରା ଚିତା ଅନ୍ୟ ଚିତା ପ୍ରତି ଅପେକ୍ଷାକୃତ କମ୍ ଆକ୍ରମଣାତ୍ମକ ଆଚରଣ ପ୍ରଦର୍ଶନ କରନ୍ତି, ଯାହା ଚିତାମାନଙ୍କ ଲଢେଇରେ ମୃତ୍ୟୁ ଆଶଙ୍କା ହ୍ରାସ କରିଥାଏ | ବିଶେଷଜ୍ଞମାନେ କହିଛନ୍ତି ଯେ କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ମୃତ୍ୟୁ ହାର ଦୁର୍ଭାଗ୍ୟଜନକ। ଏହି କାରଣରୁ ଗଣମାଧ୍ୟମରେ ଅନେକ ନକାରାତ୍ମକ ଖବର ପ୍ରକାଶିତ ଏବଂ ପ୍ରସାରିତ ହୋଇଥିଲା।

ମାର୍ଚ୍ଚରୁ ଏଯାବତ୍ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୯ଟି ଚିତାଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରେ ୬ ଜଣ ବୟସ୍କ ଏବଂ ତିନି ଶାବକ ରହିଥିଲେ | ପ୍ରୋଜେକ୍ଟ ଚିତା ଅଧୀନରେ ଦୁଇଟି ପର୍ଯ୍ୟାୟରେ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ କୁନୋକୁ ମୋଟ ୨୦ଟି ଚିତା ଅଣାଯାଇଥିଲା | ଚାରି ଶାବକ ଜନ୍ମ ପରେ ଚିତା ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା | କିନ୍ତୁ ୯ଟି ଚିତାଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ବର୍ତ୍ତମାନ ୧୫କୁ ଖସି ଆସିଛି।

Comments are closed.