ଟ୍ରେନ୍ ଗୁଡ଼ିକରୁ ସ୍ପେଶାଲ୍ ମାନ୍ୟତା ହଟିଲା, ନିୟମିତ ନମ୍ବର ଓ ନାଁରେ ଚାଲିବ ଏକ୍ସପ୍ରେସ୍-ମେଲ୍ ଟ୍ରେନ୍

ନୂଆଦିଲ୍ଲୀ: ୨୦ ମାସ ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ସ୍ପେଶାଲ୍ ଟ୍ରେନ୍ ଗୁଡିକ ବନ୍ଦ କରାଯାଇଛି । ଏହି ଟ୍ରେନ ଗୁଡ଼ିକ ଏଣିକି ନିୟମିତ ନମ୍ବର ଓ ନାମରେ ଚାଲିବ | ଉଚ୍ଚ ଭଡ଼ା ନେଇ ଯାତ୍ରୀ ମାନଙ୍କ ଅସନ୍ତୋଷ ପରେ ଚାପରେ ଆସି ରେଳବାଇ ପକ୍ଷରୁ ସ୍ପେଶାଲ ଟ୍ରେନ୍ ବନ୍ଦ କରି କୋଭିଡ୍-୧୯ ପୂର୍ବରୁ ପ୍ରଚଳିତ ଭଡ଼ା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଏ ସଂକ୍ରାନ୍ତରେ ରେଳବାଇ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ରେଳବାଇ ଦ୍ବାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ସ୍ବତନ୍ତ୍ର ଭାବରେ ଚାଲୁଥିବା ନିୟମିତ ଟ୍ରେନ୍ ଗୁଡିକ ଏବେ ପୁରୁଣା ନମ୍ବରରେ ଚଳାଚଳ କରିବ। ଅର୍ଥାତ୍ ସ୍ପେଶାଲ୍ ପରିବର୍ତ୍ତେ ଏବେ ଏହି ଟ୍ରେନ୍ ଗୁଡିକ ନିୟମିତ ହୋଇଯିବ । ଭଡ଼ା ମଧ୍ୟ ସ୍ବାଭାବିକ ହେବ | ଟ୍ରେନ୍ ଆଗରେ ସ୍ପଶାଲ୍ ଟ୍ୟାଗ୍ ଲାଗିବା ଦ୍ଵାରା ଏହାର ଭଡ଼ା ମଧ୍ୟ ବଢ଼ିଯାଇଥିଲା ।

ଏହାପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ସ୍ପେଶାଲ୍ ଟ୍ରେନର ଚଳାଚଳ ବନ୍ଦ କରାଯିବ ଓ ଟ୍ରେନରେ ସାଧାରଣ ଭଡ଼ା ଲାଗୁ ହେବ। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରାୟ ୯୫% ଏକ୍ସପ୍ରେସ ଟ୍ରେନ ଟ୍ରାକକୁ ଫେରିଛି ଏବଂ ଏଥିମଧ୍ୟରୁ ୨୫% ଟ୍ରେନ୍ ସ୍ପେଶାଲ୍ କାଟେଗୋରୀ ଅଧୀନରେ ଚାଲିଛି।

ଏହି ସ୍ପେଶାଲ୍ ଟ୍ରେନରେ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ଅତିରିକ୍ତ ୩୦ ପ୍ରତିଶତ ଭଡ଼ା ଦେଉଥିଲେ | ହେଲେ ସ୍ପେଶାଲ୍ ଟ୍ରେନ୍ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଏବେ ସାଧାରଣ ଯାତ୍ରୀ ଭଡ଼ା ଲାଗୁ ହେବ ।

ଭାରତୀୟ ରେଳବାଇ ସମ୍ପ୍ରତି ସମ୍ପୂର୍ଣ୍ଣ ସଂରକ୍ଷଣ ସହ ଦେଶରେ ସ୍ପେଶାଲ୍ ଟ୍ରେନ୍ ଚଳାଉଛି। କରୋନା ମହାମାରୀ ସମୟରେ ପ୍ରଥମ ଅନଲକ୍ ପରଠାରୁ କିଛି ଟ୍ରେନ୍ ସ୍ପେଶାଲ୍ ଭାବେ ଚଳାଇବାକୁ ରେଳବାଇ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଟ୍ରେନ୍ ଗୁଡ଼ିକର ନମ୍ବର ଆଗରେ ‘୦’ ଲଗାଇ ଦିଆଯାଇଥିଲା | ସ୍ପେଶାଲ୍ କାଟେଗୋରି ଅଧୀନରେ ଟ୍ରେନ୍ ଚାଲୁଥିବାରୁ ଜେନେରାଲ୍, ସ୍ଲିପର୍ ଏବଂ ଏସିର ଭଡ଼ା ମଧ୍ୟ ବୃଦ୍ଧି ପାଇଥିଲା | ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସାଧାରଣ ଟ୍ରେନ୍ ତୁଳନାରେ ୩୦ ପ୍ରତିଶତ ଅତିରିକ୍ତ ଭଡ଼ା ଦେବାକୁ ପଡୁଥିଲା |

କୋଭିଡ ପୂର୍ବରୁ ପ୍ରାୟ ୧୭୦୦ ମେଲ୍ ଏକ୍ସପ୍ରେସ ଟ୍ରେନ ଚାଲୁଥିଲା | ଯାହା କରୋନା ମହାମାରୀ କାରଣରୁ ବନ୍ଦ କରିବାକୁ ପଡିଥିଲା | ତେବେ ରେଳବାଇ ଅଧିକାଂଶ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ପୁଣି ଆରମ୍ଭ କରିଛି।

Comments are closed.