ଡୁ’ ପ୍ଲେସିସ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ନୂଆ ଅଧିନାୟକ

ବେଙ୍ଗାଲୁରୁ: ଆଇପିଏଲ -୨୦୨୨ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ନୂଆ ଅଧିନାୟକଙ୍କୁ ନିଯୁକ୍ତ କରିଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ’ ପ୍ଲେସିସଙ୍କୁ ଆରସିବିର ନେତୃତ୍ବ ଦାୟିତ୍ୱ ଦିଆଯାଇଛି ।

ଗତ ସଂସ୍କରଣ ପରେ ବିରାଟ କୋହଲି ଦଳର ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୧ ଠାରୁ କୋହଲି ଆରସିବିର ଅଧିନାୟକ ଥିଲେ। ତେବେ କୋହଲି ଥରେ ବି ଦଳକୁ ଟାଇଟଲ ବିଜୟୀ କରାଇ ପାରିନଥିଲେ । ବିରାଟଙ୍କ ପୂର୍ବରୁ ପାଞ୍ଚ ଖେଳାଳି ଆରସିବିର ଅଧିନାୟକ ହୋଇଥିଲେ। ରାହୁଲ ଦ୍ରାବିଡ ଦଳର ପ୍ରଥମ ଅଧିନାୟକ ଥିଲେ। ଏହା ପରେ ଅନିଲ କୁମ୍ବଲେ, ଡାନିଏଲ ଭେଟୋରି, କେଭିନ ପିଟରସେନ ଏବଂ ସେନ ୱାଟସନ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ।

ମାର୍ଚ୍ଚ ୨୭ରେ ବେଙ୍ଗାଲୁରୁ ଦଳ ଆଇପିଏଲରେ ନିଜ ଅଭିଯାନ ଆରମ୍ଭ କରିବ | ଏହି ଦଳ ନିଜ ପ୍ରଥମ ମ୍ୟାଚରେ ମୁମ୍ବାଇର ଡିଓ୍ବାଇ ପାଟିଲ ସ୍ପୋର୍ଟସ ଏକାଡେମୀ ଗ୍ରାଉଣ୍ଡରେ ପଞ୍ଜାବ କିଙ୍ଗସକୁ ଭେଟିବ। ବେଙ୍ଗାଲୁରୁ ଏପର୍ଯ୍ୟନ୍ତ ଆଇପିଏଲ୍ ଟାଇଟଲ୍ ଜିତି ନାହିଁ। ଦଳ ଶେଷ ଥର ପାଇଁ ୨୦୧୬ରେ ଫାଇନାଲ୍ ମ୍ୟାଚ୍ ଖେଳିଥିଲା । ଆରସିବି ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରିଯାଇଥିଲା ।

ନୂଆ ଅଧିନାୟକ ଡୁ’ ପ୍ଲେସିସଙ୍କ ଉପରେ ଦଳକୁ ପ୍ରଥମ ଆଇପିଏଲ୍ ଟ୍ରଫି ଦେବା ପାଇଁ ଚାପ ରହିବ। ଆଇପିଏଲ୍ ନିଲାମରେ ବେଙ୍ଗାଲୁରୁ ଡୁ’ ପ୍ଲେସିସଙ୍କୁ ୭ କୋଟିରେ କିଣିଥିବା । ଏହା ପୂର୍ବରୁ ସେ ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ଖେଳୁଥିଲେ ।

Comments are closed.