କୃଷକଙ୍କ ଆଜି ଭାରତ ବନ୍ଦ ଡାକରା, ସାମିଲ ହେବେ ଟ୍ରେଡ୍ ୟୁନିୟନ

ନୂଆଦିଲ୍ଲୀ: ଏମଏସପିର ଆଇନଗତ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବି ନେଇ ହରିୟାଣା ଓ ପଞ୍ଜାବର କୃଷକଙ୍କ ‘ଦିଲ୍ଲୀ ଚଲୋ’ ଅଭିଯାନ ମଧ୍ୟରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍) ଆଜି ଭାରତ ବନ୍ଦ ଡାକରା ଦେଇଛି । ଏହାକୁ ‘ଭାରତ ଗ୍ରାମୀଣ ବନ୍ଦ’ ନାଁ ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ। ଏହି ବନ୍ଦ ଡାକରାକୁ ଅନ୍ୟ କୃଷକ ସଂଗଠନ ଓ ଦେଶର ଟ୍ରେଡ୍ ୟୁନିୟନ ମଧ୍ୟ ସମର୍ଥନ ଜଣାଇଛନ୍ତି। ଆଜି ଗ୍ରାମାଞ୍ଚଳରେ ଚାଷ ଓ ମନରେଗା ଆଦି କାର୍ଯ୍ୟ ବନ୍ଦ ରହିବ। କୌଣସି ଚାଷୀ କ୍ଷେତକୁ ଯିବେ ନାହିଁ କି ଶ୍ରମିକ ଭାବେ କାମ କରିବେ ନାହିଁ। କୃଷକମାନେ ମଧ୍ୟାହ୍ନ ୧୨ ଟାରୁ ୪ଟା ପର୍ଯ୍ୟନ୍ତ ସାରା ଦେଶରେ ସଡ଼କ ଓ ରେଳପଥ ଅବରୋଧ କରିବେ ବୋଲି ଏସକେଏମ୍ ଘୋଷଣା କରିଛି ।

ଏସକେଏମ୍ ଦାବି କରିଛି ସରକାର ଏମଏସପି ଉପରେ ଏକ ଗ୍ୟାରେଣ୍ଟି ଆଇନ ପ୍ରଣୟନ କରନ୍ତୁ। ଏହାଛଡ଼ା ସରକାର କୃଷକମାନଙ୍କ ପାଇଁ ପେନସନ୍, ପୁରୁଣା ଫସଲ ଯୋଜନା, ସ୍ବାମୀନାଥନ୍ କମିଶନର ସୁପାରିଶ, ସରକାରୀ କ୍ଷେତ୍ରର ଘରୋଇକରଣ ଏବଂ ନିଯୁକ୍ତି ଗ୍ୟାରେଣ୍ଟି ଉପରେ ଆଇନ ଆଣନ୍ତୁ। ହରିୟାଣା ଓ ପଞ୍ଜାବର ହଜାର ହଜାର କୃଷକ ମଧ୍ୟ ସମାନ ଦାବି କରିଛନ୍ତି।

ଏସକେଏମ୍ କହିଛି ଶୁକ୍ରବାର ‘ଗ୍ରାମାଞ୍ଚଳର ସମସ୍ତ ସରକାରୀ ଅନୁଷ୍ଠାନ ୧୬ ଫେବୃଆରୀ ୨୦୨୪ରେ ବନ୍ଦ ରହିବ। ଘରୋଇ କମ୍ପାନୀଗୁଡ଼ିକୁ ବନ୍ଦ ରଖାଯିବ | ପନିପରିବା, ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ, କ୍ରୟ ଏବଂ ବିକ୍ରୟ ଉପରେ ମଧ୍ୟ ନିଷେଧାଦେଶ ରହିବ। ପନିପରିବା ବଜାର, ଶସ୍ୟ ବଜାର ଏବଂ ସରକାରୀ ଏବଂ ଅଣ-ସରକାରୀ ଅନୁଷ୍ଠାନ ଏବଂ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବ | ସହରାଞ୍ଚଳରେ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରଖାଯିବ । ତେବେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ, ଖବରକାଗଜ ବଣ୍ଟନ, ବିବାହ ଉତ୍ସବ, ମେଡିକାଲ୍ ଷ୍ଟୋର୍, ବୋର୍ଡ ପରୀକ୍ଷା ଆଦି ଉପରେ କୌଣସି ପ୍ରତିବନ୍ଧକ ରହିବନି ବୋଲି ଏସକେଏମ୍ କହିଛି । ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ପାଇଁ ଯାଇପାରିବେ ।

Comments are closed.