ସଂସଦ ଅଭିମୁଖେ ରାଲିକୁ ସ୍ଥଗିତ ରଖିଲେ କୃଷକ

ନୂଆଦିଲ୍ଲୀ: କୃଷକମାନେ ନଭେମ୍ବର ୨୯ରେ ସଂସଦ ଅଭିମୁଖେ ରାଲିକୁ ସ୍ଥଗିତ ରଖିଛନ୍ତି। ଶନିବାର ଅନୁଷ୍ଠିତ ସଂଯୁକ୍ତ କିସାନ୍ ମୋର୍ଚ୍ଚାର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ସରକାରଙ୍କ ତରଫରୁ କୃଷି ଆଇନ ପ୍ରତ୍ୟାହାର ପାଇଁ ସୋମବାର ସଂସଦରେ ଏକ ବିଲ୍ ଆଗତ କରାଯିବ। ଏଥିସହିତ କେନ୍ଦ୍ର ସରକାର ଚାଷୀଙ୍କ ଆଉ ଏକ ଦାବି ଗ୍ରହଣ କରିଛନ୍ତି।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର କହିଛନ୍ତି ଯେ ଚାଷୀଙ୍କ ଦ୍ୱାରା ନଡ଼ା ଜାଳିବାକୁ ଅପରାଧ ଧରାଯିବ ନାହିଁ। କୃଷି ମନ୍ତ୍ରୀ ତୋମାର ମଧ୍ୟ କୃଷକମାନଙ୍କୁ ନିବେଦନ କରିଛନ୍ତି ଯେ ବର୍ତ୍ତମାନ ସେମାନଙ୍କର ସମସ୍ତ ଦାବି ଗ୍ରହଣ କରାଯାଇଛି, ତେଣୁ ସେମାନେ ଆନ୍ଦୋଳନ ବନ୍ଦ କରି ଘରକୁ ଫେରିବେ।

ସୋମବାର ଠାରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ସରକାର କୃଷି ଆଇନ ପ୍ରତ୍ୟାହାର ବିଲ୍ ଆଗତ କରିପାରନ୍ତି। ବିଜେପି ଏହାର ସମସ୍ତ ସାଂସଦଙ୍କୁ ସେହି ଦିନ ସଂସଦରେ ଉପସ୍ଥିତ ରହିବାକୁ ହ୍ବିପ୍ ଜାରି କରିଛି। ରାଜ୍ୟସଭା ସାଂସଦମାନଙ୍କୁ ମଧ୍ୟ ପୂର୍ବରୁ ହ୍ବିପ୍ ଜାରି କରାଯାଇଥିଲା। ସୂଚନାନୁସାରେ ସୋମବାର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି ବିଲ୍ ଉପସ୍ଥାପନ କରିବେ। ସେହି ଦିନ କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗ ଗୃହରେ ଆଲୋଚନା ହେବ ଏବଂ ଏହା ପାରିତ ହେବ।

Comments are closed.