ମଣିପୁର: ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ପଞ୍ଚମ ଅଭିଯୁକ୍ତ ଗିରଫ

ଇମ୍ଫାଲ : ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାରେ ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗତକାଲି ଏହି ଘଟଣାର ମାଷ୍ଟର ମାଇଣ୍ଡ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜୁଲାଇ ୧୯ରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦୁଇଜଣ ମହିଳାଙ୍କୁ ପୁରୁଷ ଭିଡ଼ ଉଲଗ୍ନ କରି ଚଲାଇ ଚଲାଇ ନେଉଥିବା ଦେଖିବାକୁ ମିଳୁଛି । ଏହି ଲଜ୍ଜାଜନକ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗିରଫ ହୋଇଥିବା ପଞ୍ଚମ ଅଭିଯୁକ୍ତ ୟାମଲେମ୍ବମ୍ ନଙ୍ଗସିଥୋଇ ମୈତେଇ ବୋଲି ଜଣା ପଡିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ୧ ଦିନ ପୋଲିସ ହାଜତକୁ ପଠାଯାଇଥିଲା। ଗିରଫଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାସ ସିଂହ ମୈତେଇ ରହିଛି ଯିଏ ଭାଇରାଲ ଭିଡିଓରେ ଜଣେ ମହିଳାଙ୍କୁ ଟାଣି ନେଉଥିବା ଦେଖିବାକୁ ମିଳୁଛି । ପୋଲିସ ତାକୁ ଥାଉବାଲ ଜିଲ୍ଲାରୁ ଗିରଫ କରିଥିଲା ।

Comments are closed.