ବର୍ଷା ଯୋଗୁଁ ଭାରତ-ଦକ୍ଷିଣ ଆଫ୍ରିକା ପଞ୍ଚମ ଟି-୨୦ ବାତିଲ, ସିରିଜ୍ ଡ୍ର

ବେଙ୍ଗାଲୁରୁ : ବର୍ଷା ଯୋଗୁଁ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ୍ ନିର୍ଣ୍ଣାୟକ ପଞ୍ଚମ ଟି-୨୦ ବାତିଲ ହୋଇଯାଇଛି । ଫଳରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୨ ଡ୍ର’ରେ ଶେଷ ହୋଇଛି । ପଞ୍ଚମ ମ୍ୟାଚ୍ ବର୍ଷାରେ ଧୋଇ ହୋଇଯିବା ପରେ ଭାରତରେ କେବେ ଟି୨୦ ସିରିଜ୍ ନ ହାରିବା ରେକର୍ଡ ବଜାୟ ରଖିଛି ଦକ୍ଷିଣ ଆଫ୍ରିକା ।

ବର୍ଷା ଯୋଗୁଁ ଖେଳ ୭ଟା ପରିବର୍ତ୍ତେ ୭ଟା ୫୦ ମିନିଟରେ ଆରମ୍ଭ ହୋଇଥିଲା । ଦକ୍ଷିଣ ଆଫ୍ରିକା ସିରିଜରେ ପଞ୍ଚମ ଥର ପାଇଁ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ତେବେ ଭାରତୀୟ ଇନିଂସର ୩.୩ ଓଭର ପରେ ପୁଣି ବର୍ଷା ହେବାରୁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା । ଖେଳ ବନ୍ଦ ହେବା ବେଳକୁ ଭାରତ ୨ ୱିକେଟ୍ ହରାଇ ୨୮ ରନ୍ କରିଥିଲା । ଇଶାନ କିଶାନ ୧୫ ଓ ଋତୁରାଜ ଗାଏକ୍ୱାଡ ୧୦ରନ୍ କରି ଆଉଟ୍ ହୋଇଥିଲେ । ଉଭୟ ବ୍ୟାଟ୍‌ସମ୍ୟାନଙ୍କୁ ଲୁନଗି ଏନଗିଡି ଆଉଟ୍ କରିଥିଲେ । ପଞ୍ଚମ ମ୍ୟାଚ୍ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିଥିଲା । ଦକ୍ଷିଣ ଆଫ୍ରିକା ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଥିଲା । ଆହତ ଯୋଗୁଁ ଅଧିନାୟକ ତେମ୍ବା ବଭୁମା ଏହି ମ୍ୟାଚରେ ଖେଳିନଥିଲେ । ମ୍ୟାଚ୍ ଆଉ ସମ୍ଭବ ନ ହେବାରୁ ରାତି ପ୍ରାୟ ୯ଟା ୫୦ ମିନିଟରେ ଅମ୍ପାୟର ଖେଳକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଦିଲ୍ଲୀ ଓ କଟକରେ ହାରିବା ପରେ ଭାରତ ସିରିଜକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା । ବିଶାଖାପାଟଣାରେ ଖେଳାଯାଇଥିବା ତୃତୀୟ ଟି୨୦ରେ ଭାରତ ୪୭ ରନରେ ବିଜୟୀ ହୋଇଥିଲା । ଏହାପରେ ରାଜକୋଟରେ ଅନୁଷ୍ଠିତ ଚତୁର୍ଥ ଟି୨୦କୁ ରିଷଭ ପନ୍ତଙ୍କ ଦଳ ୮୨ ରନରେ ଜିତି ସିରିଜକୁ ୨-୨ରେ ବରାବର ସ୍ଥିତିକୁ ଆଣିଥିଲା ।

ଉଲ୍ଲେଖଯୋଗ୍ୟ , ଏହି ଫର୍ମାଟ ସିରିଜରେ ଭାରତ ଘରୋଇ ମାଟିରେ କେବେ ଦକ୍ଷିଣ ଆଫ୍ରିକାକୁ ହରାଇ ପାରିନାହିଁ । ୨୦୧୫-୧୬ରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ଦକ୍ଷିଣ ଆଫ୍ରିକା ୨-୦ରେ ଜିତିଥିଲା । ସେହି ସିରିଜର ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ସେତେବେଳେ ମହେନ୍ଦ୍ର ସିଂ ଧୋନି ଭାରତର ଅଧିନାୟକ ଥିଲେ । ଏହାପରେ ୨୦୧୯-୨୦ରେ ମଧ୍ୟ ଦକ୍ଷିଣ ଆଫ୍ରିକା ଦଳ ଭାରତରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳିଥିଲା । ତେବେ ଏହି ସିରିଜ୍ ୧-୧ରେ ଡ୍ର ରହିଥିଲା । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଉକ୍ତ ସିରିଜ୍ ଖେଳିଥିଲା । ସେହି ସିରିଜର ମଧ୍ୟ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।

Comments are closed.