ଆୟକର ପୋର୍ଟାଲରେ ବୈଷୟିକ ତ୍ରୁଟିର ହୋଇପାରୁନି ସମାଧାନ, ଇନଫୋସିସ୍ ଏମଡିଙ୍କୁ ଅର୍ଥ ମନ୍ତ୍ରଣାଳୟର ସମନ୍

ନୂଆଦିଲ୍ଲୀ: ଲଞ୍ଚ୍ ହେବା ପରଠୁ ନୂଆ ଆୟକର ଇ-ଫାଇଲିଂ ପୋର୍ଟାଲରେ ବୈଷୟିକ ତ୍ରୁଟି ଦେଖାଯାଉଛି | ଏହାର ସମାଧାନ ପାଇଁ ଇନଫୋସିସ୍ କୁ ଅର୍ଥମନ୍ତ୍ରୀଙ୍କ ପକ୍ଷରୁ ବହୁ ଥର ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ତେଣୁ ଅର୍ଥ ମନ୍ତ୍ରଣାଳୟ ଏବେ ଇନଫୋସିସ୍ ଏମଡି ଏବଂ ସିଇଓ ସଲିଲ ପାରେଖଙ୍କୁ ସମନ୍ ଜାରି କରିଛି ।

ଆୟକର ବିଭାଗ ଅନୁଯାୟୀ ଅର୍ଥ ମନ୍ତ୍ରଣାଳୟ ୨୩ ଅଗଷ୍ଟରେ ଇନଫୋସିସ୍ ଏମଡି ଏବଂ ସିଇଓ ସଲିଲ ପାରେଖଙ୍କୁ ହାଜର ହେବାକୁ କହିଛି। ନୂଆ ଇ-ଫାଇଲ୍ ପୋର୍ଟାଲ ଆରମ୍ଭ ହେବାର ଅଢେ଼ଇ ମାସ ପରେ ମଧ୍ୟ ପୋର୍ଟାଲରେ ଥିବା ଅସଙ୍ଗତିର ସମାଧାନ କାହିଁକି ହୋଇପାରି ନାହିଁ ସେନେଇ ଇନଫୋସିସ୍ ଏମଡି ପାରେଖ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମ୍ମୁଖରେ ସ୍ପଷ୍ଟୀକରଣ ରଖିବେ । ଅନ୍ୟପକ୍ଷରେ ଅଗଷ୍ଟ ୨୧ରୁ ପୋର୍ଟାଲ ହିଁ କାମ କରୁନଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ ନୂଆ ଆୟକର ଇ-ଫାଇଲ୍ ପୋର୍ଟାଲ୍ ଜୁନ୍ ୭ରେ ଆରମ୍ଭ ହେବା ଦିନଠାରୁ ଅନେକ ବୈଷୟିକ ତ୍ରୁଟି ଲକ୍ଷ୍ୟ କରାଯାଇଛି | ଆୟକର ଦାଖଲ ବ୍ୟବସ୍ଥାର ବିକାଶ ପାଇଁ ଏବଂ ଏଥିଲାଗି ଏକ ନୂଆ ପୋର୍ଟାଲ ତିଆରି ପାଇଁ ଇନଫୋସିସ୍ କୁ ୨୦୧୯ରେ ଦାୟିତ୍ବ ଦିଆଯାଇଥିଲା। ପୋର୍ଟାଲର ବିକାଶ ପାଇଁ ସରକାର ଜାନୁୟାରୀ ୨୦୧୯ରୁ ଜୁନ୍ ୨୦୨୧ ମଧ୍ୟରେ ଇନଫୋସିସ୍ କୁ ୧୬୪.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି।

Comments are closed.