ବିଜେପି ନେତାଙ୍କୁ ଚପଲରେ ପିଟିଲେ କଲ୍ ଗାର୍ଲ୍, ଖବର ସମ୍ପର୍କରେ ଟ୍ବିଟ୍ କରିବାରୁ କଂଗ୍ରେସ ବିରୋଧରେ ମାମଲା

ଭୋପାଳ: ‘କଲ୍ ଗାର୍ଲ’ଙ୍କ ଠାରୁ ଜଣେ ବିଜେପି ନେତା ଚପଲ ମାଡ଼ ଖାଇବା ସମ୍ପର୍କିତ ଖବର ସେୟାର କରିବାରୁ ମଧ୍ୟପ୍ରଦେଶ ପୋଲିସ ରାଜ୍ୟ କଂଗ୍ରେସର ଟ୍ୱିଟର ଆକାଉଣ୍ଟ ହ୍ୟାଣ୍ଡେଲରଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିଜେପି ନେତାଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ ହୋଇଛି। ଏଫ୍ଆଇଆର୍ ଦାଖଲ ପରେ କ୍ଷମତାର ଅପବ୍ୟବହାର ବିରୋଧରେ ଲଢ଼େଇ ଜାରି ରହିବ ବୋଲି କହିଛି କଂଗ୍ରେସ ।

ରାଜ୍ୟ କଂଗ୍ରେସ ଏକ ହିନ୍ଦୀ ଖବରକାଗଜରେ ପ୍ରକାଶିତ ରିପୋର୍ଟ ସେୟାର କରିଥିଲା। ଏହି ରିପୋର୍ଟରେ ଦାବି କରାଯାଇଥିଲା ଯେ ପାଉଣା ନ ଦେବାରୁ ବିଜେପି ନେତାଙ୍କୁ ‘କଲ୍ ଗାର୍ଲ୍’ ଚପଲରେ ପିଟିଥିଲେ’।

ଭୋପାଳ ପୋଲିସ୍ କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି , ବିଜେପି ନେତା ରାଜେନ୍ଦ୍ର ଗୁପ୍ତାଙ୍କ ଅଭିଯୋଗ ଅନୁଯାୟୀ ଶୁକ୍ରବାର ରାତିରେ ଆମେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୫ (୨) ଅନୁଯାୟୀ ମାମଲା ରୁଜୁ କରିଛୁ। ବିଜେପିର ଭୋପାଳ ଜିଲ୍ଲା ଶାଖାର ଗଣମାଧ୍ୟମ ଦାୟିତ୍ୱରେ ଥିବା ଗୁପ୍ତା ତାଙ୍କ ଅଭିଯୋଗରେ କହିଥିଲେ ଯେ ପ୍ରକୃତ ତଥ୍ୟ ଯାଞ୍ଚ ନକରି ଏହି ଟ୍ୱିଟ୍ କରାଯାଇଛି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲ ନାଥ ଟ୍ୱିଟ୍ କରି କହିଛନ୍ତି, ବାଜେପି ଏକ ଅଗ୍ରଣୀ ଖବରକାଗଜର ରିପୋର୍ଟ ପୋଷ୍ଟ କରିବା ପାଇଁ ମଧ୍ୟପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ ବିଭାଗ ବିରୋଧରେ ମାମଲା ରୁଜୁ କରିଛି। ସେ କହିଛନ୍ତି, ‘ସମାଜର ସମସ୍ତ ବର୍ଗ ମଧ୍ୟରେ ବିଶ୍ୱାସ ହରାଇଥିବା ବିଜେପି ସରକାର ବର୍ତ୍ତମାନ ପ୍ରତ୍ୟେକ ବାକ୍ ସ୍ୱାଧୀନତାର ମାଧ୍ୟମକୁ ବନ୍ଦ କରିବାକୁ ଚାହୁଁଛନ୍ତି। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ କ୍ଷମତାର ଅପବ୍ୟବହାର ବିରୋଧରେ କଂଗ୍ରେସ ଦଳର ଲଢ଼େଇ ଜାରି ରହିବ।”

Comments are closed.