ଧନଖଡ଼ଙ୍କ ନକଲ କରିବା ନେଇ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ନକଲ (ମିମିକ୍ରି) କରି ଥଟ୍ଟା କରିଥିବାରୁ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି।

ଅଭିଷେକ ଗୌତମ ନାମକ ଜଣେ ଓକିଲଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ଡିଫେନ୍ସ କଲୋନୀ ପୋଲିସ ଥାନାରେ କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଷେକ ତାଙ୍କ ଅଭିଯୋଗରେ ଉପରାଷ୍ଟ୍ରପତିଙ୍କୁ ଅପମାନିତ କରାଯାଇଥିବା ଦର୍ଶାଇ ଟିଏମସି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି, ଏହି ମାମଲା ଗୃହ ବାହାରେ ଘଟିଛି । ଯଦି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଗିରଫ ହୋଇପାରନ୍ତି । ତେବେ ତାଙ୍କ ବିରୋଧରେ କେଉଁ ଦଫାରେ ମାମଲା ରୁଜୁ ହୋଇଛି ତାହା ଜଣାପଡ଼ି
ନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ନିଲମ୍ବିତ ସାଂସଦମାନେ ଗତକାଲି ନୂଆ ସଂସଦ ଭବନର ‘ମକର ଦ୍ବାର’ରେ ଧାରଣ ଦେଇଥିଲେ। ଏହି ସମୟ ମଧ୍ୟରେ ଟିଏମସିର ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଗୃହ ଚଲାଇବା ଶୈଳୀକୁ ଅନୁକରଣ କରି ତାଙ୍କୁ ପରିହାସ କରିଥିଲେ । ଧାରଣା ଦେଉଥିବା ସାଂସଦ ମାନଙ୍କ ମଧ୍ୟରେ ଏହା ହାସ୍ୟରୋଳ ସୃଷ୍ଟି କରିଥିଲା । ବାନାର୍ଜୀ ରାଜ୍ୟସଭା ଅଧ୍ୟକ୍ଷ ଧନଖଡଙ୍କ ଅନୁକରଣ କରୁଥିବା ବେଳେ କଂଗ୍ରେସର ନେତା ରାହୁଲ ଗାନ୍ଧୀ ତାଙ୍କ ମୋବାଇଲ୍ ଫୋନରେ ଏହାର ଭିଡ଼ିଓ କରୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ବହୁ ଭାଇରାଲ ହୋଇଥିଲା |

ବିଜେପି ଏହାକୁ ନିନ୍ଦା କରିଛି । ଉପରାଷ୍ଟ୍ରପତି ଧନଖଡ ମଧ୍ୟ ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି । ଜଣେ ସାଂସଦ ମଜା କରୁଛନ୍ତି ଏବଂ ଅନ୍ୟ ଜଣେ ସାଂସଦ ସେହି ଘଟଣାର ଭିଡିଓ କରୁଛନ୍ତି । ଏହା ହାସ୍ୟାସ୍ପଦ ଏବଂ ଗ୍ରହଣୀୟ ନୁହେଁ। ସେମାନଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି ସେ କହିଛନ୍ତି ।

Comments are closed.