ଦିଲ୍ଲୀର ଉପହାର ସିନେମା ହଲରେ ପୁଣି ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ଉପହାର ସିନେମା ହଲରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ବାଲକୋନୀ ଏବଂ ଥିଏଟରର ଗୋଟିଏ ମହଲାରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତିର ଖବର ନାହିଁ ।

ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ଯେ ରବିବାର ଭୋର୍ ୪:୪୬ ସମୟରେ ଉପହାର ସିନେମାରେ ନିଆଁ ଲାଗିଥିଲା । ନିଆଁ ଲିଭାଇବାକୁ ନଅଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚିଥିଲା।

ଗର୍ଗଙ୍କ ଅନୁଯାୟୀ, ସକାଳ ପ୍ରାୟ ୭.୨୦ ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡରେ ସିନେମା ହଲର ସିଟ୍, ଆସବାବପତ୍ର ଏବଂ ରଦି ସାମଗ୍ରୀ ପୋଡ଼ି ଯାଇଥିବା ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ଜୁନ୍ ୧୩, ୧୯୯୭ରେ ଏହି ସିନେମା ହଲରେ ହିଁ ଭୟାବହ ଅଗ୍ନିକାଣ୍ଡରେ ୫୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣାରେ ୧୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।

Comments are closed.