ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଏବଂ ତାଙ୍କର ତିନି ସନ୍ତାନର ମା’ ଇଭାନା ଟ୍ରମ୍ପଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି।
ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଇଭାନାଙ୍କୁ ମନେ ପକେଇ ଏକ ବାର୍ତ୍ତା ଲେଖିଛନ୍ତି। ଟ୍ରମ୍ପ ଇଭାନାଙ୍କୁ ଜଣେ ଚମତ୍କାର, ମହାନ ଏବଂ ପ୍ରେରଣାଦାୟୀ ମହିଳା ବୋଲି କହିଛନ୍ତି ।
ଇଭାନା ଟ୍ରମ୍ପ ଚେକ ରିପବ୍ଲିକରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୭୭ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିବାହ କରିଥିଲେ। ଅବଶ୍ୟ ୧୫ ବର୍ଷ ଏକାଠି ରହିବା ପରେ ୧୯୯୨ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା ।
ଇଭାନା ଟ୍ରମ୍ପ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କର ତିନୋଟି ସନ୍ତାନ ଡୋନାଲ୍ଡ ଜୁନିୟର, ଇଭାଙ୍କା ଏବଂ ଏରିକ ଟ୍ରମ୍ପ ଅଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୋଲିସ୍ ଇଭାନା ଟ୍ରମ୍ପଙ୍କ ମୃତ୍ୟୁ କୌଣସି ଆକସ୍ମିକ କାରଣରୁ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ।
ସୂତ୍ରରୁ ପ୍ରକାଶ, ନ୍ୟୁୟର୍କରେ ତାଙ୍କ ଘରର ସିଡ଼ି ନିକଟରେ ଇଭାନାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସିଡିରୁ ଖସି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
୧୯୮୦ ରୁ ୧୯୯୦ ଦଶକ ମଧ୍ୟରେ ନ୍ୟୁୟର୍କରେ ଡୋନାଲ୍ଡ ଏବଂ ଇଭାନା ଚର୍ଚ୍ଚିତ ଦମ୍ପତି ଥିଲେ ଏବଂ ସେମାନଙ୍କ ଛାଡପତ୍ର ଖବର ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିଲା।
Comments are closed.