ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ୫ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଟିଭି ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦିଲ୍ଲୀର ସାକେତ କୋର୍ଟ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

୧୫ ବର୍ଷ ତଳେ ଘଟିଥିଲା ଏହି ହତ୍ୟାକାଣ୍ଡ । ୩୦ ସେପ୍ଟେମ୍ବର ୨୦୦୮ରେ ସୌମ୍ୟା ବିଶ୍ୱନାଥନ ଅଫିସରୁ ଘରକୁ ଫେରୁଥିବା ବେଳେ ଦିଲ୍ଲୀର ନେଲସନ ମଣ୍ଡେଲା ରୋଡରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ସେହିଦିନ ରାତିରେ ଦକ୍ଷିଣ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ତାଙ୍କ କାରରେ ସୌମ୍ୟାଙ୍କ ମୃତଦେହ ମିଳିଥିଲା। ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା।

ଏହି ମାମଲାରେ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବା ପାଞ୍ଚ ଅଭିଯୁକ୍ତ ହେଉଛନ୍ତି ରବି କପୁର, ଅମିତ ଶୁକ୍ଲା, ବଲଜିତ ମଲିକ, ଅଜୟ କୁମାର ଏବଂ ଅଜୟ ସେଠୀ। ମାର୍ଚ୍ଚ ୨୦୦୯ ଠାରୁ ଏମାନେ ଜେଲରେ ଅଛନ୍ତି।

ରବି, ଅମିତ, ବଲଜିତ ଏବଂ ଅଜୟ କୁମାରଙ୍କୁ ଦଫା ୩୦୨ ଏବଂ ୩୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀ ଦଫା ୪୧୧ ଅଧୀନରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ଅକ୍ଟୋବର ୨୬ରେ ସାକେତ କୋର୍ଟର ଅତିରିକ୍ତ ସେସନ୍ ଜଜ୍ ରବିନ୍ଦ୍ର କୁମାର ପାଣ୍ଡେ ଦୋଷୀଙ୍କ ବିରୋଧରେ ଦଣ୍ଡ ଘୋଷଣା କରିବେ।

ଏହି ମାମଲାର ଶୁଣାଣି ଅକ୍ଟୋବର ୧୩ରେ ଶେଷ ହୋଇଥିଲା ଏବଂ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

ଦିଲ୍ଲୀ ପୋଲିସ ଦାବି କରିଥିଲା ଯେ ସୌମ୍ୟାଙ୍କ ହତ୍ୟା ପଛର କାରଣ ଡକାୟତି ଥିଲା । ପୋଲିସର ସୂଚନାନୁସାରେ, ଯେତେବେଳେ ଆଇଟି କର୍ମଚାରୀ ଜିଗିଶା ଘୋଷଙ୍କ ହତ୍ୟାର ତଦନ୍ତ ଚାଲିଥିଲା ସେତେବେଳେ ଏଥିରେ ବ୍ୟବହୃତ ଅସ୍ତ୍ର ଜବତ ପରେ ସୌମ୍ୟା ବିଶ୍ୱନାଥନ ହତ୍ୟାକାଣ୍ଡର ଠୋସ୍ ସୁରାକ୍ ମିଳିଥିଲା।

ଘଟଣା ଦିନ ରାତିରେ ସୌମ୍ୟା ଅଫିସରେ ମାଲେଗାଓଁ ଏବଂ ମୋଡେସା ବିସ୍ଫୋରଣ ଉପରେ ରିପୋର୍ଟ ପ୍ରସ୍ତୁତ କରିଥିଲେ । ତେଣୁ ସେ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା । ସେ କେନ୍ଦ୍ରୀୟ ଦିଲ୍ଲୀର କାର୍ଯ୍ୟାଳୟରୁ ଦକ୍ଷିଣ ଦିଲ୍ଲୀ ସ୍ଥିତ ତାଙ୍କ ଘର ବସନ୍ତ କୁଞ୍ଜକୁ ଯାଉଥିଲେ।

ହତ୍ୟାର ଶିକାର ହେବା ପୂର୍ବରୁ ସୌମ୍ୟା ରାତି ପ୍ରାୟ ୩:୧୫ରେ ତାଙ୍କ ବାପାଙ୍କ ସହ ଫୋନରେ କଥା ହୋଇଥିଲେ । ସେ ଶୀଘ୍ର ଘରେ ପହଞ୍ଚିବେ ବୋଲି ବାପାଙ୍କୁ କହିଥିଲେ ସୌମ୍ୟା ।

ପୋଲିସ ସୌମ୍ୟାଙ୍କୁ ଡ୍ରାଇଭର ସିଟରେ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା । ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ହସ୍ପିଟାଲକୁ ନିଆଯିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ହତ୍ୟା ମାମଲା ରୁଜୁ କରିଥିଲା‌। କିନ୍ତୁ ହତ୍ୟାକାରୀ ଓ ହତ୍ୟାର କାରଣ ସମ୍ପର୍କରେ କିଛି ଜଣା ପଡ଼ିନଥିଲା।

ତାଙ୍କ କାରର ଗୋଟିଏ ଟାୟାର ପଙ୍କଚର୍ ହୋଇଯାଇଥିଲା । କାରର ଟ୍ୟୁବରୁ ପୋଲିସ ଏକ ଗୁଳି ଜବତ କରିଥିଲା।

ସେତେବେଳେ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ସୌମ୍ୟାଙ୍କ ହତ୍ୟାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଦୀକ୍ଷିତ କହିଥିଲେ, ବେଶୀ ସାହସ ଦେଖାଇବା ବି ଭଲ ନୁହେଁ। ଯେଉଁ ସହର ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ସେଠି ସେ (ସୌମ୍ୟା) ରାତି ତିନିଟାରେ ଏକାକୀ ଗାଡ଼ି ଚଳାଇ ଯାଉଥିଲେ ।

ଏଭଳି ବୟାନ ପାଇଁ ଶୀଲା ଦୀକ୍ଷିତ ସମାଲୋଚନାର ପାତ୍ର ପାଲଟିଥିଲେ ।

Comments are closed.