ମଧ୍ୟପ୍ରଦେଶରେ ପୁଣି ‘ମାମା’ ମ୍ୟାଜିକ୍, ରାଜ୍ୟରେ ବିଜେପିର ବୃହତ ବିଜୟର ଏହି ପାଞ୍ଚଟି କାରଣ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ମଧ୍ୟ ପ୍ରଦେଶରେ ପୁଣି ଚାଲିଛି ‘ମାମା’ ଶିବରାଜ ସିଂହ ଚୌହାନଙ୍କ ମ୍ୟାଜିକ୍ । କଂଗ୍ରେସକୁ ଲାଗିଛି ବଡ଼ ଝଟକା । ରାଜ୍ୟରେ ‘କମଳ’ ଫୁଟିବା ରୋକିବାକୁ ବିଫଳ ହୋଇଛନ୍ତି କମଳ ନାଥ । ବିଜେପି ପୁଣି ସରକାର ଗଢ଼ିବାକୁ ଯାଉଛି ‌।

୨୦୧୮ ବିଧାନସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଇଥିଲା କଂଗ୍ରେସ । ୨୦୧୮ ନିର୍ବାଚନରେ କଂଗ୍ରେସ ୧୧୪ଟି ଆସନ‌ ଜିତିଥିବାବେଳେ ବିଜେପି ୧୦୯ଟି ସିଟ୍ ପାଇଥିଲା । ବହୁମତ ହାସଲ ସହ କଂଗ୍ରେସ ସରକାର ଗଠନ କରିଥିଲା । କିନ୍ତୁ ଦଳ ଭିତରେ ବିଦ୍ରୋହ ଯୋଗୁଁ କମଳ‌ନାଥଙ୍କ ନେତୃତ୍ଵାଧୀନ କଂଗ୍ରେସ ସରକାର ମାତ୍ର ୨୦ ମାସ ପରେ ଭାଙ୍ଗି ଯାଇଥିଲା। କଂଗ୍ରେସ କନ୍ଦଳରୁ ଫାଇଦା ଉଠାଇ ବିଜେପି କ୍ଷମତାକୁ ଫେରିଥିଲା ।

ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ‌ ସେଭଳି କିଛି ହେଲା ନାହିଁ। ଏକଜିଟ୍ ପୋଲରେ ମଧ୍ୟ ରାଜ୍ୟରେ କଡ଼ା ମୁକାବିଲା ନେଇ ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ଫଳାଫଳ ଠିକ୍ ବିପରୀତ ହୋଇଛି । ବିଜେପି ପୂର୍ଣ୍ଣ ବହୁମତ ହାସଲ ଦିଗରେ ଅଗ୍ରସର ହେଉଛି। ସଦ୍ୟତମ ଟ୍ରେଣ୍ଡ ଅନୁସାରେ ରାଜ୍ୟର ୨୩୦ ଟି ଆସନ ମଧ୍ୟରୁ ବିଜେପି ୧୫୦ ରୁ ଅଧିକ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୭୦ଟି ଆସନରେ ସୀମିତ ଥିବା ଜଣାପଡିଛି।

ତେବେ ମଧ୍ୟପ୍ରଦେଶରେ କଂଗ୍ରେସ ଉପରେ ବିଜେପି ପୁଣି ଭାରି ପଡ଼ିବାର ପାଞ୍ଚଟି‌ ମୁଖ୍ୟ ଫ୍ୟାକ୍ଟର ରହିଛି। ଆସନ୍ତୁ ଏହି ପାଞ୍ଚ ଫ୍ୟାକ୍ଟର ଉପରେ ନଜର ପକାଇବା ଯାହା ବିଜେପିକୁ କ୍ଷମତା ବଜାୟ ରଖିବାରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି ।

୧. ଶିବରାଜ ସିଂହ ଚୌହାନଙ୍କ ଲୋକପ୍ରିୟତା

ମଧ୍ୟ ପ୍ରଦେଶରେ ‘ମାମା’ ନାମରେ ପରିଚିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜଣେ ଲୋକପ୍ରିୟ ନେତା ଭାବେ ନିଜକୁ ପ୍ରମାଣ କରିଛନ୍ତି। ଏଥର ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ନଥିଲା । କିନ୍ତୁ ସେ ପୂରା ନିର୍ବାଚନ ପ୍ରଚାରର ଦାୟିତ୍ୱ ନିଜ କାନ୍ଧ ଉପରକୁ ନେଇଥିଲେ।

ଜଣେ ଉଦାରବାଦୀ ନେତା ଭାବେ ଶିବରାଜ ସିଂହ ଚୌହାନଙ୍କ ଭାବମୂର୍ତ୍ତି ରହିଆସିଛି । ଏହାଛଡ଼ା ଜନସାଧାରଣଙ୍କ ସହ ଯୋଡ଼ି ହେବାର କଳା ତାଙ୍କୁ ରାଜ୍ୟରେ ସ୍ୱତନ୍ତ୍ର ମାନ୍ୟତା ଦେଇଛି।

ବିଜେପିର ବିଜୟରେ ଆଦିବାସୀ ଏବଂ ପଛୁଆ ଜାତିର ଭୋଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶିବରାଜ ମଧ୍ୟ ଓବିସି ବର୍ଗର ନେତା ।

୨. ଲାଡଲି ବହନ୍ ଯୋଜନା

ଶିବରାଜ ସିଂହ ଚୌହାନଙ୍କ ସରକାର ଅନେକ ଲୋକପ୍ରିୟ ଯୋଜନା ମଧ୍ୟ ବିଜେପି ବିଜୟରେ ନିର୍ଣ୍ଣାୟକ ଫ୍ୟାକ୍ଟର ଥିଲା । ସେଥିମଧ୍ୟରୁ ଗୋଟିଏ ହେଲା ‘ଲାଡଲି ବହନ୍ ଯୋଜନା’ । ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ ପାଇଁ ସମ୍ପୃକ୍ତ ପରିବାରକୁ ଏକ ଲକ୍ଷ ଟଙ୍କା ଚେକ୍ ଦିଆଯାଏ । ୧୮ ବର୍ଷ ବୟସରେ ପଦାର୍ପଣ କଲେ ସେହି କନ୍ୟା ସନ୍ତାନ ଟଙ୍କା ପାଆନ୍ତି |

ଗରିବ ପରିବାରରେ କାହାର ମୃତ୍ୟ ହେଲେ, ଅନ୍ତିମ ସଂସ୍କାର ପାଇଁ ପାଞ୍ଚ ହଜାର ଟଙ୍କା ସହାୟତା ଘୋଷଣା କରିଥିଲେ ଶିବରାଜ ସରକାର | ଏହାଛଡ଼ା ସରକାର ଗରିବ ପୁଅଝିଅଙ୍କ‌ ପାଇଁ ଗଣ ବିବାହର ଆୟୋଜନ କରନ୍ତି ଓ ଏ ବାବଦରେ ସବୁ ଖର୍ଚ୍ଚ ନିଜେ ବହନ କରନ୍ତି |

ସରକାରଙ୍କ ଏହି ଯୋଜନା ଆଦିବାସୀ ଏବଂ ଦଳିତଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇପାରିଛି।

୩. ସିନ୍ଧିଆଙ୍କ ଭୂମିକା

୨୦୧୮ ବିଧାନସଭା ନିର୍ବାଚନରେ ଗ୍ବାଲିୟର-ଚମ୍ବଲ୍ ଅଞ୍ଚଳର ୩୪ଟି ଆସନ ମଧ୍ୟରୁ କଂଗ୍ରେସ ୨୬ଟି ଆସନ ଜିତିଥିଲା।

କିନ୍ତୁ ୨୦୨୦ରେ ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ, କମଲ ନାଥ ସରକାରର‌ ପତନ କରାଇଥିଲେ, ସେତେବେଳେ ୨୨ ଜଣ ବିଧାୟକ କଂଗ୍ରେସ ଏବଂ ବିଧାନସଭାରୁ ଇସ୍ତଫା ଦେଇଥିଲେ।

ଏହା ପରେ ଉକ୍ତ ଆସନ ଗୁଡ଼ିକରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସରୁ ଇସ୍ତଫା ଦେଇଥିବା ୨୨ ଜଣଙ୍କ ମଧ୍ୟରୁ ୧୬ ଜଣ ବିଜେପି ଟିକେଟରେ ଜିତିବାରେ ସଫଳ ହୋଇଥିଲେ।

ଏଥର ମଧ୍ୟ ସିନ୍ଧିଆଙ୍କ ଏହି ୧୬ ଜଣ ଅନୁଗତଙ୍କୁ ବିଜେପି ଟିକେଟ୍ ଦେଇଥିଲା। ଉପନିର୍ବାଚନରେ ପରାସ୍ତ ହୋଇଥିବା ତାଙ୍କ ଅନୁଗତଙ୍କୁ ମଧ୍ୟ ବିଜେପି ଟିକେଟ୍ ଦେବାରେ ସିନ୍ଧିଆ ସଫଳ ହୋଇଥିଲା। ତେଣୁ ବିଜେପିର ବିଜୟରେ ସିନ୍ଧିଆଙ୍କ ଭୂମିକାକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ ।

୪. କଂଗ୍ରେସରେ ଉଚ୍ଚ ଜାତିର ନେତାଙ୍କ ଦବଦବା

କୌଣସି ଯୁଦ୍ଧରେ ବିପକ୍ଷ ଦଳର ଦୁର୍ବଳତା ମଧ୍ୟ ଆପଣଙ୍କର ବଡ଼ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଏଥର ମଧ୍ୟ ପ୍ରଦେଶରେ ବି ଏଭଳି ଏକ‌ ଦୁର୍ବଳତାର ଫାଇଦା ଉଠାଇଥିଲା ବିଜେପି । କଂଗ୍ରେସ ଏଥର ମଧ୍ୟ ନିର୍ବାଚନ ଦାୟିତ୍ୱ କମଲ ନାଥଙ୍କୁ ଦେଇଥିଲା।

ରାଜ୍ୟରେ କଂଗ୍ରେସର କମାଣ ଉଚ୍ଚ ଜାତିର ନେତାଙ୍କ ହାତରେ ରହିଆସିଛି । ଅର୍ଜୁନ ସିଂହ ହୁଅନ୍ତୁ ଅବା ଦିଗବିଜୟ ସିଂହ କିମ୍ବା କମଲ ନାଥ । ଏହି ତିନିଜଣ ନେତା ପଛୁଆ ଜାତିର ନୁହଁନ୍ତି। ଯାହା ଫଳରେ କଂଗ୍ରେସ ଏହି ବର୍ଗର ଭୋଟ୍ ବ୍ୟାଙ୍କ ହାତେଇବାରେ ବିଫଳ ହୋଇଥିଲା ।

ଅନ୍ୟପକ୍ଷରେ ଶିବରାଜ ସିଂହ ଚୌହାନଙ୍କ ପରି ଓବିସି ସମ୍ପ୍ରଦାୟର ନେତାଙ୍କ ହାତରେ ନେତୃତ୍ୱ ଦେଇ ବିଜେପି ପଛୁଆବର୍ଗ ଭୋଟ୍ ବ୍ୟାଙ୍କ ହାତେଇବାରେ ସଫଳ ହୋଇଛି।

୫. କଂଗ୍ରେସରେ ଗୋଷ୍ଠୀ କନ୍ଦଳ

ମଧ୍ୟପ୍ରଦେଶ କଂଗ୍ରେସ ଭିତରେ ଗୋଷ୍ଠୀ କନ୍ଦଳରୁ ମଧ୍ୟ ବିଜେପିକୁ ଫାଇଦା ହୋଇଛି । ରାଜ୍ୟ କଂଗ୍ରେସ ଅନେକ ଗୋଷ୍ଠୀରେ ଭାଗ ଭାଗ ହୋଇଛି। ଦଳରେ ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, କମଲ ନାଥ ଓ ଦିଗବିଜୟ ସିଂହଙ୍କ କ୍ୟାମ୍ପ ଥିଲା।

ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ଦଳ କମଲ ନାଥ ଓ ଦିଗବିଜୟ ସିଂହ ଗୋଷ୍ଠୀରେ ଦୁଇ ଭାଗ ହୋଇଯାଇଥିଲା। ଟିକେଟ୍ ବଣ୍ଟନ ସମୟରେ ଦୁଇ ନେତାଙ୍କ ମଧ୍ୟରେ ମତଭେଦ ଖବର ମଧ୍ୟ ସାମ୍ନାକୁ ଆସିଥିଲା।

Comments are closed.