ବାହାନଗା ଟ୍ରେନ୍ ଦୁର୍ଘଟଣା: ତଦନ୍ତ ଘେରରେ ଷ୍ଟେସନ ମାଷ୍ଟରଙ୍କ ସହ ପାଞ୍ଚ ରେଳ କର୍ମଚାରୀ

ନୂଆଦିଲ୍ଲୀ: ବାଲେଶ୍ବରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ମାମଲାରେ ତଦନ୍ତ ଘେରକୁ ଆସିଛନ୍ତି ବାହାନଗା ବଜାର ଷ୍ଟେସନ ମାଷ୍ଟରଙ୍କ ସହ ପାଞ୍ଚ ରେଳ କର୍ମଚାରୀ ।

ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୦୦ ଯାତ୍ରୀ ଆହତ ହୋଇଥିଲେ ।

ଅନ୍ୟ ଚାରି ଜଣ କର୍ମଚାରୀ ସିଗ୍ନାଲ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି । ଦୁର୍ଘଟଣା ସମୟରେ ଏମାନେ ଡ୍ୟୁଟିରେ ଥିଲେ।

ସୂତ୍ରରୁ ପ୍ରକାଶ ଯେ ଏହି ପାଞ୍ଚ ଜଣ କର୍ମଚାରୀ ସମ୍ପ୍ରତି କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରେଳ ସୁରକ୍ଷା କମିଶନର (ସିଆରଏସ୍)ର ତଦନ୍ତ ରିପୋର୍ଟ ଉପରେ ନିର୍ଭର କରିବ |

ଜୁନ୍ ୨ରେ ଘଟିଥିବା ଏହି ରେଳ ଦୁର୍ଘଟଣାର ସିବିଆଇ ଅପରାଧିକ ଅବହେଳା ଦିଗରୁ ପୃଥକ ଭାବେ ଯାଞ୍ଚ କରୁଛି।

ରେଳ ମନ୍ତ୍ରଣାଳୟର ଅଧିକାରୀମାନେ ଇଣ୍ଟରଲକିଂ ସିଷ୍ଟମ ସହ ସମ୍ଭାବ୍ୟ ଟାମ୍ପରିଂ ହୋଇଥିବା ସନ୍ଦେହ କରୁଛନ୍ତି ।‌ ଏହି କାରଣରୁ କରମଣ୍ଡଳ ଏକ୍ସପ୍ରେସ ମୁଖ୍ୟ ଲାଇନରୁ ଲୁପ୍ ଲାଇନରେ ପଶି ଯାଇ ସେଠାରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା ।

ଅଟୋମେଟିକ୍ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ମନେ କରାଯାଉଛି ।

ନାମ ଗୋପନ ରଖିବା ସର୍ତ୍ତରେ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ବର୍ତ୍ତମାନ ପାଞ୍ଚ ଜଣ ରେଳ କର୍ମଚାରୀ ତଦନ୍ତର କେନ୍ଦ୍ରରେ ଅଛନ୍ତି। ଖୁବ୍ ଶୀଘ୍ର ସିଆରଏସ୍ ରୁ ଚୂଡ଼ାନ୍ତ ରିପୋର୍ଟ ମିଳିବ ବୋଲି ଆଶା କରାଯାଉଛି |

ସୂତ୍ରରୁ ପ୍ରକାଶ ଯେ ତିନୋଟି ସମ୍ଭାବ୍ୟ ପରିସ୍ଥିତିକୁ ଯାଞ୍ଚ କରାଯାଉଛି – ଇଣ୍ଟରଲକିଂ ସିଷ୍ଟମର ଟାମ୍ପରିଂ ଉଦ୍ଦେଶ୍ୟମୂଳକ ନା ଭୁଲରେ ହୋଇଥିଲା ? ଏହା ସେହି ଅଞ୍ଚଳରେ ଚାଲିଥିବା ରକ୍ଷଣାବେକ୍ଷଣ କାର୍ଯ୍ୟର ପରିଣାମ ଥିଲା କି ?

ଏହି ଦୁର୍ଘଟଣାକୁ ନେଇ ବିରୋଧୀ ଦଳର ତୀବ୍ର ସମାଲୋଚନା ମଧ୍ୟରେ ଦୁଇଟି ରେଳ କର୍ମଚାରୀ ସଂଘ ରେଳବାଇକୁ ସମର୍ଥନରେ ବାହାରିଛନ୍ତି।

ଏକ ମିଳିତ ବିବୃତ୍ତିରେ ଅଲ ଇଣ୍ଡିଆ ରେଳବାଇ ଫେଡେରେସନ୍ (ଏଆରଏଫ୍) ଏବଂ ନ୍ୟାସନାଲ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରେଲୱେମେନ (ଏନଜଫ୍ଆଇଆର) ର ସାଧାରଣ ସଚିବମାନେ କହିଛନ୍ତି ଯେ ଟ୍ରେନ୍ ଦୁର୍ଘଟଣାର ରାଜନୀତିକରଣକୁ ନେଇ ସେମାନେ ବ୍ୟଥିତ ।

Comments are closed.