ମାର୍ଚ୍ଚ ୩୧ ପୂର୍ବରୁ ଶେଷ କରନ୍ତୁ ଏହି ପାଞ୍ଚଟି କାମ, ନଚେତ୍ ଅସୁବିଧାରେ ପଡ଼ିବେ

ନୂଆଦିଲ୍ଲୀ: ୨୦୨୨ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଛି | ମାର୍ଚ୍ଚ ହେଉଛି ଆର୍ଥିକ ବର୍ଷର ଶେଷ ମାସ । ଏହି ମାସରେ ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସାରିବାକୁ ପଡ଼ିଥାଏ | ଯଦି ଆପଣ ମାର୍ଚ୍ଚ ୩୧ ପୂର୍ବରୁ ଏହିସବୁ କାର୍ଯ୍ୟ ଶେଷ ନ କରନ୍ତି, ତେବେ ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିପାରେ | ଏଠାରେ ଆମେ ଆପଣଙ୍କୁ ଫାଇନାନ୍ସ ସମ୍ବନ୍ଧୀୟ ପାଞ୍ଚଟି କାର୍ଯ୍ୟ ବିଷୟରେ କହୁଛୁ ଯାହା ଆପଣ ୩୧ ମାର୍ଚ୍ଚ ପୂର୍ବରୁ କରିବା ଆବଶ୍ୟକ |

ଆଧାର-ପାନ୍ ଲିଙ୍କ୍

ଆଧାରକୁ ପାନ୍ ସହିତ ଲିଙ୍କ୍ କରିବାର ଶେଷ ତାରିଖକୁ ସରକାର ୧୦ ସେପ୍ଟେମ୍ବର ୨୦୨୧ ରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ଆପଣ ଉଭୟ ଡକ୍ୟୁମେଣ୍ଟକୁ ପରସ୍ପର ସହିତ ଲିଙ୍କ୍ କରିବା ଜରୁରୀ, ନଚେତ୍ ଆପଣଙ୍କ ପାନ୍ ଅଚଳ ବା ଅବୈଧ ହୋଇପାରେ | ଯଦି ପାନ୍ ଅବୈଧ ହୋଇଯାଏ, ତେବେ ଏହାର ପୁଣି ପ୍ରୋସେସିଂ ପାଇଁ ଆପଣ ଧାରା 272B ଅନୁଯାୟୀ ଏକ ହଜାର ଟଙ୍କା ଜରିମାନା ଦେବାକୁ ହେବ | ପାନ୍ ଅଚଳ ହୋଇଗଲେ ଆପଣ ଆଉ ସେୟାର, ମ୍ୟୁଚୁଆଲ୍ ଫଣ୍ଡ ଏବଂ ଅନ୍ୟାନ୍ୟ ସିକ୍ୟୁରିଟିରେ ନିବେଶ କରିପାରିବେ ନାହିଁ ।

ସଂଶୋଧିତ ଆଇଟିଆର୍

ଯଦି ଆପଣ ବିଳମ୍ବିତ କିମ୍ବା ସଂଶୋଧିତ ଆୟକର ରିଟର୍ଣ୍ଣ (ଆଇଟିଆର) ଭରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ୩୧ ମାର୍ଚ୍ଚ ୨୦୨୨ ପୂର୍ବରୁ ଏହି କାର୍ଯ୍ୟ ଶେଷ କରିବାକୁ ପଡିବ | କରୋନା ମହାମାରୀ ଯୋଗୁଁ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅପଡେଟ୍ ହୋଇଥିବା ଆଇଟିଆର୍ ଦାଖଲ କରିବାର ଶେଷ ତାରିଖକୁ ଡିସେମ୍ବର ୩୧ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଯଦି ଆପଣ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ସଂଶୋଧିତ ଆଇଟିଆର୍ ଫାଇଲ୍ ନ କରନ୍ତି , ତେବେ ଆପଣଙ୍କୁ ଆୟକର ଆଇନ ୧୯୬୧ର ଧାରା 234F ଅନୁଯାୟୀ ପେନାଲ୍ଟି ଦେବାକୁ ପଡ଼ିପାରେ ।

ଟ୍ୟାକ୍ସ ସଞ୍ଚୟ ପାଇଁ ନିବେଶ କରନ୍ତୁ

ଯଦି ଆପଣ ଟ୍ୟାକ୍ସ ବଞ୍ଚାଇବା ପାଇଁ କିଛି ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଏହି ମାସ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଯଦି ଆପଣ ୨୦୨୧-୨୨ ଆର୍ଥିକ ବର୍ଷରେ କିଛି ଟିକସମୁକ୍ତ ନିବେଶ ପାଇଁ ଯୋଜନା କରିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ତାହା କରିନାହାଁନ୍ତି, ତେବେ ଏବେ ହିଁ ଏହି କାମ ଶେଷ କରନ୍ତୁ | ଯଦି ଆପଣ ମାର୍ଚ୍ଚ ୩୧, ୨୦୨୨ ପରେ ନିବେଶ କରନ୍ତି, ତେବେ ତାହା ଆଗାମୀ ବର୍ଷ ତଥା ୨୦୨୨-୨୩ ରେ ଗଣାଯିବ | ଏପରି ସ୍ଥିତିରେ ଆପଣ କେବଳ ଆସନ୍ତା ବର୍ଷ ଏହା ଉପରେ ଟିକସ ଛାଡ ପାଇବାକୁ ସମର୍ଥ ହେବେ | ଧାରା 80C ମାଧ୍ୟମରେ ଜଣେ କରଦାତା ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ସଞ୍ଚୟ କରିପାରିବେ | ଏହି ରାଶି ମୋଟ ଆୟରୁ କଟାଯାଇଥାଏ | ସେହିଭଳି ଧାରା 80CCD ଅଧୀନରେ ଟ୍ୟାକ୍ସ ସଞ୍ଚୟ କରିବାକୁ, ଜଣେ ଏନପିଏସରେ ୫୦,୦୦୦ ଟଙ୍କା ଜମା କରିପାରିବେ |

ବ୍ୟାଙ୍କ ଆକାଉଣ୍ଟ୍ କେଓ୍ବାଇସି

ରିଜର୍ଭ ବ୍ୟାଙ୍କ କେଓ୍ବାଇସି (KYC) ପ୍ରକ୍ରିୟା ସାରିବାର ସମୟସୀମାକୁ ୩୧ ଡିସେମ୍ବର ୨୦୨୧ ରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ କେଓ୍ବାଇସି‌ କାର୍ଯ୍ୟ ଶେଷ ନ ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାକୁ କେନ୍ଦ୍ରୀୟ ବ୍ୟାଙ୍କ ଆର୍ଥିକ ସଂସ୍ଥାଗୁଡ଼ିକୁ କହିଛି। ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ଗ୍ରାହକମାନଙ୍କୁ ସେମାନଙ୍କର ପାନ୍ କାର୍ଡ, ଠିକଣା, ପାସପୋର୍ଟ କିମ୍ବା କେଓ୍ବାଇସି ଅଧୀନରେ ଅନ୍ୟ ଡକ୍ୟୁମେଣ୍ଟ ଅପଡେଟ୍ କରିବାକୁ ପଡିବ | ଏହାଛଡ଼ା ସେମାନଙ୍କୁ ନିଜର ଏକ ସଦ୍ୟତମ ଫଟୋ ଏବଂ ଅନ୍ୟାନ୍ୟ ବିବରଣୀ ଦାଖଲ କରିବାକୁ ହେବ |

ମ୍ୟୁଚୁଆଲ୍ ଫଣ୍ଡ-ଆଧାର ଲିଙ୍କ୍

ମ୍ୟୁଚୁଆଲ୍ ଫଣ୍ଡକୁ ଏବେ ନିବେଶକଙ୍କ ଆଧାର ନମ୍ବର ସହିତ ଲିଙ୍କ୍ କରିବାକୁ ପଡ଼ିବ | ଏଥିପାଇଁ ୨୦୧୭ରେ ପିଏମ୍ଏଲ୍ଏ ନିୟମରେ ପରିବର୍ତ୍ତନ କରାଯାଇଥିଲା | ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀଗୁଡିକୁ ଲୋକଙ୍କ ଆଧାର ନମ୍ବର ଅପଡେଟ୍ କରିବାକୁ ପଡିବ, ଏହାକୁ UIDAI ସହିତ ବୈଧ କରିବା ସହ ଆଧାର ସହିତ ସମସ୍ତ ମ୍ୟୁଚୁଆଲ୍ ଫଣ୍ଡ ସହିତ ଯୋଡିବାକୁ ହେବ | ମ୍ୟୁଚୁଆଲ୍ ଫଣ୍ଡ ସହିତ ଆଧାରର ଲିଙ୍କ୍ ଅନଲାଇନ୍, ଅଫଲାଇନ୍, ଏସ୍ଏସ୍ଏସ୍ ଏବଂ ଇମେଲ ମାଧ୍ୟମରେ କରାଯାଇପାରିବ |

Comments are closed.