ଅବହେଳାରୁ ହୋଇଛି ଚିତାଙ୍କ ମୃତ୍ୟୁ, ଅସନ୍ତୁଷ୍ଟ ବିଦେଶୀ ବିଶେଷଜ୍ଞ ସୁପ୍ରିମକୋର୍ଟଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ଆଫ୍ରିକାରୁ ଭାରତ ଅଣାଯାଇଥିବା ଚିତାଙ୍କ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଫ୍ରିକୀୟ ଏବଂ ନାମିବ୍ୟାର ଚାରି ବିଶେଷଜ୍ଞ ତଥା ଜାତୀୟ ଚିତା ପ୍ରକଳ୍ପ ପରିଚାଳନା କମିଟିର ସମସ୍ତ ସଦସ୍ୟ ସୁପ୍ରିମକୋର୍ଟଙ୍କୁ ଏକ ଚିଠି ଲେଖି ପ୍ରକଳ୍ପର ପରିଚାଳନା ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଗୁରୁତର ଅବହେଳା ହିଁ ଚିତା ମୃତ୍ୟୁର କାରଣ ବୋଲି ସେମାନେ କହିଛନ୍ତି । ଚିତାଙ୍କ ମନିଟରିଂ ଆହୁରି ଭଲ ହୋଇପାରିଥାନ୍ତା । ଯଦି ଠିକ୍ ସମୟରେ ଚିକିତ୍ସା ପାଇଥାନ୍ତେ, ତେବେ ସେମାନେ ବଞ୍ଚି ପାରିଥାନ୍ତେ ବୋଲି ସୁପ୍ରିମକୋର୍ଟଙ୍କୁ ଚିଠିରେ କହିଛନ୍ତି ବିଦେଶୀ ବିଶେଷଜ୍ଞ ।

ପ୍ରଥମ ବ୍ୟାଚରେ ନାମିବ୍ୟାରୁ ଅଣାଯାଇଥିବା ଆଠଟି ଚିତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଗତ ବର୍ଷ ସେପ୍ଟେମ୍ବର ୧୭ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା। ଚଳିତ ବର୍ଷ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଅଣାଯାଇଥିଲା । ତେବେ ଏହାରି ଭିତରେ କୁନୋରେ ୯ଟି ଚିତାଙ୍କ ମୃତ୍ୟୁ ହୋଇଛି ।

ଜୁଲାଇ ୧୫ରେ ରେଡିଓ କଲାର ଆଘାତରେ ଦୁଇଟି ଚିତାଙ୍କ ମୃତ୍ୟୁ ପରେ ଦକ୍ଷିଣ ଆଫ୍ରିକାର ପ୍ରାଣୀ ଚିକିତ୍ସା ବନ୍ୟଜନ୍ତୁ ବିଶେଷଜ୍ଞ ଡାକ୍ତର ଆଡ୍ରିଆନ୍ ଟର୍ଡିଫ ତାଙ୍କ ସହକର୍ମୀଙ୍କ ତରଫରୁ ଏକ ଚିଠିରେ ଦସ୍ତଖତ କରିଥିଲେ ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରାଯାଇଛି । ବିଶେଷକରି ଅବହେଳା ଦିଗ ଉପରେ ଚିନ୍ତା ବ୍ୟକ୍ତ କରାଯାଇଛି । ଏହି ଚିଠିରେ କୁହାଯାଇଛି ଯେ ବିଦେଶୀ ବିଶେଷଜ୍ଞମାନଙ୍କୁ ଚିତାଙ୍କ ଚିକିତ୍ସାରୁ ବଞ୍ଚିତ କରାଯାଉଛି।

ଚିଠିରେ ବିଦେଶୀ ବିଶେଷଜ୍ଞମାନେ ଚିତା ପ୍ରକଳ୍ପର ବିଫଳତା ଉପରେ ଧ୍ୟାନ ଦେବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

Comments are closed.