କଂଗ୍ରେସକୁ ପୁଣି ଏକ ଝଟକା, ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ ବିଜେପିରେ ସାମିଲ

ନୂଆଦିଲ୍ଲୀ: ଅବିଭକ୍ତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା କିରଣ କୁମାର ରେଡ୍ଡୀ ଆଜି (ଏପ୍ରିଲ ୭) ବିଜେପିରେ ସାମିଲ ହୋଇଛନ୍ତି । ଦଳୀୟ ନେତୃବର୍ଗ ସହ ମତଭେଦ ପରେ ସେ ଗତ ମାସରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

ଦୁଇଦିନ ମଧ୍ୟରେ କଂଗ୍ରେସକୁ ଦକ୍ଷିଣ ଭାରତରେ ଡବଲ୍ ଝଟକା ଲାଗିଛି । କିରଣଙ୍କ ପୂର୍ବରୁ ଗତକାଲି କେରଳର ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ମଧ୍ୟ ବିଜେପିରେ ମିଶିଥିଲେ ।

ବିଜେପିରେ ମିଶିବା ପରେ ପାର୍ଟି ମୁଖ୍ୟାଳୟରେ ଗଣମାଧ୍ୟମକୁ ସମ୍ବୋଧିତ କରି କିରଣ କହିଛନ୍ତି, କଂଗ୍ରେସ ଲୋକଙ୍କ ନିକଟରେ ପହଞ୍ଚିବାକୁ ସକ୍ଷମ ନୁହେଁ । ହାଇକମାଣ୍ଡଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ରାଜ୍ୟ ପରେ ରାଜ୍ୟରେ ଦଳ ଦୁର୍ବଳ ହେବାରେ ଲାଗିଛି। କଂଗ୍ରେସ ଦଳ ଲୋକଙ୍କ ମତକୁ ପ୍ରାଥମିକତା ଦେଉନାହିଁ । ଭୁଲ୍ କ’ଣ ରହୁଛି ବିଶ୍ଳେଷଣ କରୁନାହିଁ କି ତା’କୁ ସୁଧାରିବାକୁ ଚାହୁଁନାହିଁ ।

କଂଗ୍ରେସ ହାଇକମାଣ୍ଡ ଭାବନ୍ତି ଯେ ସେମାନେ ହିଁ ଠିକ୍, ଏବଂ ଦେଶର ଲୋକଙ୍କ ସହ ଅନ୍ୟ ସମସ୍ତେ ଭୁଲ୍ । ଦଳର ଏପରି ଚିନ୍ତାଧାରା ଯୋଗୁଁ ମୁଁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛି ବୋଲି କିରଣ ରେଡ୍ଡୀ କହିଛନ୍ତି ।

କିରଣ କୁମାର ୧୯୮୯ରେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଭାୟଲପାଡୁରୁ କଂଗ୍ରେସ ଟିକେଟରେ ଜିତିଥିଲେ। ସେ ୧୯୯୯ ଏବଂ ୨୦୦୪ରେ ପୁଣି ସେହି ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ । ପରେ ୨୦୦୯ରେ ପିଲେରୁ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍ ରାଜାସେଖରା ରେଡ୍ଡୀଙ୍କ ଦୁଃଖଦ ମୃତ୍ୟୁ ଯୋଗୁଁ ଉପୁଜିଥିବା ନାଟକୀୟ ରାଜନୈତିକ ଘଟଣାକ୍ରମ ପରେ କିରଣ ରେଡ୍ଡୀ ୨୦୧୦ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ତେବେ ଆନ୍ଧ୍ରପ୍ରଦେଶର ବିଭାଜନ ନେଇ ତତ୍କାଳୀନ ୟୁପିଏ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରେଡ୍ଡୀ ୧୦ ମାର୍ଚ୍ଚ ୨୦୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିରଣ କୁମାର ରେଡ୍ଡୀ କଂଗ୍ରେସ ଠାରୁ ଅଲଗା ହୋଇଥିଲେ। ୨୦୧୪ ମସିହାରେ ସେ ‘ଜୟ ସାମିକ୍ୟ ଆନ୍ଧ୍ର’ ନାମରେ ନିଜର ଏକ ଦଳ ଗଠନ କରି ଲୋକସଭା ନିର୍ବାଚନ ଲଢ଼ିଥିଲେ । ତେବେ ତାଙ୍କ ନୂଆ ଦଳ ଗୋଟିଏ ବି ଆସନ ଜିତିପାରିନଥିଲା । ନୂଆ ଦଳ ସହ ରାଜନୈତିକ ସଫଳତା ନ ମିଳିବାରୁ କିରଣ କୁମାର ୨୦୧୮ରେ ପୁଣି କଂଗ୍ରେସକୁ ଫେରିଥିଲେ ।

Comments are closed.