କଂଗ୍ରେସ ସାଂସଦ ସଞ୍ଜୟ ନିରୁପମଙ୍କ ଉପରେ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ପୂର୍ବତନ ସିଏଜି ବିନୋଦ ରାୟ

ନୂଆଦିଲ୍ଲୀ: ୨ଜି ସ୍ପେକ୍ଟ୍ରମ ଆବଣ୍ଟନ ଅନିୟମିତତା ପ୍ରସଙ୍ଗରେ ଗଣମାଧ୍ୟମକୁ ଦେଇଥିବା ନିଜର ଏକ ସାକ୍ଷାତକାର ପାଇଁ ପୂର୍ବତନ କମ୍ପ୍ଟ୍ରୋଲର ଓ ଅଡିଟର ଜେନେରାଲ (ସିଏଜି) ବିନୋଦ ରାୟ କଂଗ୍ରେସ ସାଂସଦ ସଞ୍ଜୟ ନିରୁପମଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ବିନୋଦ ରାୟ ୨୦୧୪ରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ୨ଜି ସ୍ପେକ୍ଟ୍ରମ ଆବଣ୍ଟନ ଦୁର୍ନୀତି ନେଇ ସିଏଜି ରିପୋର୍ଟରେ ତତ୍କାଳୀନ
ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମ ଉଲ୍ଲେଖ ନ କରିବାକୁ
ନିରୁପମଙ୍କ ସହ କଂଗ୍ରେସର କିଛି ନେତା ତାଙ୍କ ଉପରେ ଚାପ ପକାଇଥିଲେ । ଏନେଇ ନିରୁପମ, ରାୟଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।

ନିକଟରେ ବିନୋଦ ରାୟ ପଟିଆଲା ହାଉସ ସ୍ଥିତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏକ ସତ୍ୟପାଠ ଜରିଆରେ ସଞ୍ଜୟ ନିରୁପମଙ୍କୁ ନିଃସର୍ତ୍ତ
କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଅଜାଣତରେ ନିରୁପମଙ୍କ ନାମ ନେଇଥିଲେ ବୋଲି ରାୟ କହିଛନ୍ତି । ବିନୋଦ ରାୟଙ୍କ କ୍ଷମାପ୍ରାର୍ଥନାକୁ ସଞ୍ଜୟ ନିରୁପମ ଗ୍ରହଣ କରିନେଇଛନ୍ତି।

ନିରୁପମ କହିଛନ୍ତି ଯେ ୨ଜି ସ୍ପେକ୍ଟ୍ରମ୍ ଏବଂ କୋଇଲା ବ୍ଲକ୍ ଆବଣ୍ଟନ ଉପରେ ମିଛ ସିଏଜି ରିପୋର୍ଟ ପାଇଁ ରାୟ ଦେଶକୁ ମଧ୍ୟ କ୍ଷମା ପ୍ରାର୍ଥନା କରିବା ଉଚିତ୍। ସେ ଅଭିଯୋଗ କରିଛନ୍ତି ଯେ ଉଭୟ ରିପୋର୍ଟ କପୋଳକଳ୍ପିତ ଥିଲା।

Comments are closed.