ଦକ୍ଷିଣରେ କଂଗ୍ରେସକୁ ତିନି ଦିନରେ ତିନୋଟି ଝଟକା, ବିଜେପିରେ ମିଶିଲେ ଆଉ ଜଣେ ନେତା

ନୂଆଦିଲ୍ଲୀ: କଂଗ୍ରେସକୁ ଏବେ ଦକ୍ଷିଣ ଭାରତରେ ଝଟକା ପରେ ଝଟକା ଲାଗିଛି । ଅନିଲ ଆଣ୍ଟୋନି ଓ କିରଣ କୁମାର ରେଡ୍ଡୀଙ୍କ ପରେ ଏବେ କଂଗ୍ରେସର ଆଉ ଜଣେ ପୂର୍ବତନ ନେତା ତଥା ସ୍ବାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ସି ରାଜାଗୋପାଳଚାରିଙ୍କ ପଣନାତି ସିଆର୍ କେଶବନ ଶନିବାର ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ କେଶବନ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।

ଆଜି ବିଜେପିରେ ମିଶିବା ପରେ କେଶବନ କହିଛନ୍ତି, “ମୋତେ ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳ ବିଜେପିରେ ସାମିଲ କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି, ବିଶେଷ କରି ଏପରି ଏକ ଦିନରେ ଯେଉଁ ଦିନ ଆମ ପ୍ରଧାନମନ୍ତ୍ରୀ ତାମିଲନାଡୁରେ ଅଛନ୍ତି।

ଏହି ପୂର୍ବତନ କଂଗ୍ରେସ ନେତା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନକଲ୍ୟାଣ ଓ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି।

କେଶବନ ଫେବୃଆରୀ ୨୩ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ଟ୍ବିଟରରେ ସେୟାର କରି ସେ କହିଥିଲେ, ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ଦଳ ସ୍ବୀକୃତି ପ୍ରଦାନ କରୁନାହିଁ, ତେଣୁ ତାଙ୍କୁ ଏହି ପଦକ୍ଷେପ ନେବାକୁ ପଡ଼ିଛି।

ଦକ୍ଷିଣରେ ତିନି ଦିନ ମଧ୍ୟରେ କଂଗ୍ରେସକୁ ତିନୋଟି ଝଟକା ଲାଗିଛି । କେଶବନଙ୍କ ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଗୁରୁବାର ବିଜେପିରେ ସାମିଲ ହୋଇଥିଲେ । ପୁଣି ଶୁକ୍ରବାର ଦିନ ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ତଥା ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ମଧ୍ୟ ବିଜେପିରେ ମିଶିଥିଲେ ।

Comments are closed.