ଏୟାର ହଷ୍ଟେସ୍ ଗୀତିକା ଶର୍ମା ଆତ୍ମହତ୍ୟା ମାମଲାରେ ହରିୟାଣାର ପୂର୍ବତନ ମନ୍ତ୍ରୀ ଗୋପାଳ କାଣ୍ଡା ଦୋଷମୁକ୍ତ

ନୂଆଦିଲ୍ଲୀ: ଏୟାର ହଷ୍ଟେସ୍ ଗୀତିକା ଶର୍ମା ଆତ୍ମହତ୍ୟା ମାମଲାରେ ହରିୟାଣାର ପୂର୍ବତନ ମନ୍ତ୍ରୀ ଗୋପାଳ କାଣ୍ଡାଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ଗୀତିକା ଶର୍ମାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇବା ଅଭିଯୋଗରେ ହରିୟାଣାର ପୂର୍ବତନ ମନ୍ତ୍ରୀ ଗୋପାଳ କାଣ୍ଡା ଏବଂ ତାଙ୍କ ସହଯୋଗୀ ଅରୁଣା ଚଢ଼ାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଗୋପାଳ କାଣ୍ଡା ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ।

ଅଗଷ୍ଟ ୫, ୨୦୧୨ରେ ଏୟାର ହଷ୍ଟେସ୍ ଗୀତିକା ଶର୍ମା ଦିଲ୍ଲୀର ଅଶୋକ ବିହାର ସ୍ଥିତ ନିଜ ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ସେତେବେଳେ ହରିୟାଣାର ମନ୍ତ୍ରୀ ଥିବା ଗୋପାଳ କାଣ୍ଡା ଗୀତିକାଙ୍କୁ ହଇରାଣ କରୁଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।

ଗୀତିକା ଶର୍ମା ଗୋପାଳ କାଣ୍ଡାଙ୍କ ଏମ୍ଏଲଡିଆର୍ ଏୟାରଲାଇନ୍ସର ଏୟାର ହଷ୍ଟେସ୍ ଥିଲେ । ଏହା ପରେ ତାଙ୍କୁ କାଣ୍ଡାଙ୍କ ଏକ କମ୍ପାନୀର ନିର୍ଦ୍ଦେଶକ ଭାବେ ପଦୋନ୍ନତି ମଧ୍ୟ ମିଳିଥିଲା। ତେବେ ୫ ଅଗଷ୍ଟ ୨୦୧୨ ରେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଗୀତିକା ଶର୍ମାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ତାଙ୍କ ରୁମରୁ ମିଳିଥିବା ସୁଇସାଇଡ୍ ନୋଟରେ ଗୀତିକା ଶର୍ମା ୪୬ ବର୍ଷୀୟ ଗୋପାଳ କାଣ୍ଡା ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ କରିଥିଲେ।

କୋର୍ଟଙ୍କ ନିଷ୍ପତ୍ତି ପରେ ଗୋପାଳ କାଣ୍ଡା କହିଛନ୍ତି, ମୋ ବିରୋଧରେ କୌଣସି ପ୍ରମାଣ ନଥିଲା, ମୋ ବିରୋଧରେ ମିଛ କେସ୍ କରାଯାଇଥିଲା । ଆଜି କୋର୍ଟ ତାଙ୍କ ରାୟ ଦେଇଛନ୍ତି।

ଅଭିଯୁକ୍ତଙ୍କ ବିରୋଧରେ ୩୦୬ (ଆତ୍ମହତ୍ୟା ପାଇଁ ଉସୁକାଇବା ), ୫୦୬ (ଅପରାଧିକ ଧମକ), ୨୦୧ (ପ୍ରମାଣ ନଷ୍ଟ କରିବା), ୧୨୦ ବି (ଅପରାଧିକ ଷଡଯନ୍ତ୍ର), ୪୬୬ (ଜାଲିଆତି) ସହ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା। କାଣ୍ଡାଙ୍କ ବିରୋଧରେ ବଳାତ୍କାର (୩୭୬) ଏବଂ ୩୭୭ (ଅପ୍ରାକୃତିକ ଯୌନ ସମ୍ପର୍କ) ଦଫା ବି ଲାଗିଥିଲା । ତେବେ ଦିଲ୍ଲୀ ହାଇକୋର୍ଟ ପରେ କାଣ୍ଡାଙ୍କ ବିରୋଧରେ ଏହି ଦୁଇ ଧାରା ରଦ୍ଦ କରିଦେଇଥିଲେ।

Comments are closed.