ପୂର୍ବତନ ଆଇସିସି ଅମ୍ପାୟର ଅସଦ ରାଉଫଙ୍କ ପରଲୋକ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଆଇସିସି ଅମ୍ପାୟର ଅସଦ ରାଉଫଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ଏହି ଖବର ପରେ ପାକିସ୍ତାନ କ୍ରିକେଟରେ ଶୋକରେ ଛାୟା ଖେଳିଯାଇଛି । କିଛି ଦିନ ତଳେ ରାଉଫଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଲାହୋରର ଲାଣ୍ଡା ବଜାରରେ ଏକ ଜୋତା ଏବଂ ପୋଷାକ ଦୋକାନ ଚଳାଉଥିଲେ। ପାକିସ୍ତାନୀ କ୍ରିକେଟର କାମରନ୍ ଆକମଲ ଅସଦ ରାଉଫଙ୍କ ଆକସ୍ମିକ ମୃତ୍ୟୁରେ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବୁକିଙ୍କଠାରୁ ମହଙ୍ଗା ଉପହାର ନେବା ଏବଂ ଆଇପିଏଲ୍ ଫିକ୍ସିଂରେ ଜଡିତ ଥିବା ଜଣାପଡ଼ିବା ପରେ ୨୦୧୩ ମସିହାରେ ବିସିସିଆଇ ତାଙ୍କୁ ବାସନ୍ଦ କରିଥିଲା ​​ ।ତେବେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ ।

ରାଉଫ୍ ୨୦୦୦ ରୁ ୨୦୧୩ ମଧ୍ୟରେ ୨୩୧ଟି ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟରିଂ କରିଥିଲେ । ଜଣେ ଭଲ ଅମ୍ପାୟର ଭାବେ ଅସଦ ରାଉଫଙ୍କ ଖ୍ୟାତି ଥିଲା । ତେବେ ଆଇପିଏଲରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ପରେ ରାଉଫଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଯାଇଥିଲା।

ରାଉଫ୍ ୧୯୯୮ରେ ଅମ୍ପାୟରିଂ ଡେବ୍ୟୁ କରିଥିଲେ | ଅମ୍ପାୟରିଂ ପୂର୍ବରୁ ରାଉଫ୍ ପାକିସ୍ତାନରେ ଘରୋଇ କ୍ରିକେଟର ଭାବରେ ନିଜର କ୍ୟାରିୟର କରିଥିଲେ। ୧୯୮୦ ଦଶକରେ ସେ ଜଣେ ଭଲ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଭାବେ ଉଭା ହୋଇଥିଲେ | ସେ ୭୧ ପ୍ରଥମ ଶ୍ରେଣୀ ମ୍ୟାଚରେ ୩୪୨୩ ରନ୍ କରିଥିବାବେଳେ ୪୦ ଲିଷ୍ଟ-ଏ ମ୍ୟାଚ୍ ରେ ୬୧୧ ରନ୍ କରିଥିଲେ |

Comments are closed.