ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ଼ ହୋଇଛି । ସିଞ୍ଜୋ ଆବେଙ୍କ ଛାତିରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ଗୁଳିମାଡ଼ ପରେ ସିଞ୍ଜୋ ଆବେ ହୃଦଘାତରେ ମଧ୍ୟ ଶିକାର ହୋଇଥିଲେ ।

ନାରା ସହରରେ ଏକ ରାଲିରେ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଗୁଳି ମାଡ଼ରେ ଆବେ ହଠାତ୍ ତଳେ ପଡ଼ି ଯାଇଥିଲେ। ତାଙ୍କ ଦେହରୁ ରକ୍ତ ବାହାରୁଥିଲା। ସିଞ୍ଜୋ ଆବେ ହଠାତ୍ ତଳେ ପଡ଼ିଯିବା ପରେ ଉପସ୍ଥିତ ଲୋକମାନେ ହଠାତ୍ କିଛି ବୁଝି ପାରିନଥିଲେ। କିନ୍ତୁ ଏହି ସମୟ ମଧ୍ୟରେ କିଛି ଲୋକ ସେଠାରେ ଫାୟାରିଂ ହେଉଥିବା ଶବ୍ଦ ଶୁଣିଥିଲେ। ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି ।

ଆବେଙ୍କ ଉପରେ ଆକ୍ରମଣ ସମୟର କିଛି ଭିଡିଓ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ଲୋକମାନେ ଭୟରେ ଧାଁ ଦୌଡ଼ କରୁଥିବା ଦେଖିବାକୁ ମିଳୁଛି।

ସିଞ୍ଜୋ ଆବେ ପ୍ରଥମେ ୨୦୦୬ରେ ଗୋଟିଏ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ସେ ୨୦୧୨ ରୁ ୨୦୨୦ ଯାଏଁ ପ୍ରଧାନମନ୍ତ୍ରୀ ଦାୟିତ୍ଵ ସମ୍ଭାଳିଥିଲେ । ତେବେ ସ୍ୱାସ୍ଥ୍ୟଗତ କାରଣରୁ ୬୭ ବର୍ଷୀୟ ଆବେ ୨୦୨୦ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଗତ ବର୍ଷ ଭାରତ ସରକାର ସିଞ୍ଜୋ ଆବେଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରିଥିଲା।

Comments are closed.