ୟୁପି ସରକାରଙ୍କ ‘ବୁଲଡୋଜର୍’ ନୀତି ବିରୋଧରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲେ ପୂର୍ବତନ ବିରାରପତି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିକ୍ଷୋଭକାରୀଙ୍କ ବିରୋଧରେ ବୁଲଡୋଜର୍ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କିଛି ଅବସରପ୍ରାପ୍ତ ବିଚାରପତି ଏବଂ ବରିଷ୍ଠ ଓକିଲ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି ।

ଏହି ଆବେଦନରେ ସୁପ୍ରିମକୋର୍ଟଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ନିବେଦନ କରାଯାଇଛି। ଏଥିରେ ଅନୁରୋଧ କରାଯାଇଛି ଯେ ସୁପ୍ରିମକୋର୍ଟ ୟୁପିରେ ନୂପୁର ଶର୍ମାଙ୍କ ମନ୍ତବ୍ୟ ପ୍ରତିବାଦରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ନିର୍ଯ୍ୟାତନା ଏବଂ ସେମାନଙ୍କ ଘରେ ବୁଲଡୋଜର ଚଲାଇବା ଭଳି କାର୍ଯ୍ୟାନୁଷ୍ଠାନରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ । ୟୁପି ସରକାରଙ୍କ ଏଭଳି ‘ବୁଲଡୋଜର୍’ ନୀତି ଆଇନ କାନୁନ ବ୍ୟବସ୍ଥାର ଉପହାସ ବୋଲି ସେମାନେ କହିଛନ୍ତି।

ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୂପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲଙ୍କ ଆପତ୍ତିଜନକ ମନ୍ତବ୍ୟକୁ ଆରବ ଦେଶମାନେ ବିରୋଧ କରିଥିଲେ । ଏହା ପରେ ବିଜେପି ଚାପରେ ଆସି ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଥିବା ବେଳେ ନବୀନ ଜିନ୍ଦଲଙ୍କୁ ଦଳରୁ ବହିଷ୍କୃତ କରିଥିଲା।

ତେବେ ଗତ ଶୁକ୍ରବାର ନମାଜ ପରେ ନୂପୁର ଶର୍ମାଙ୍କୁ ଗିରଫ କରିବାକୁ ଦାବି କରି ଅନେକ ରାଜ୍ୟରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଅନେକ ସ୍ଥାନରେ ପଥର ମାଡ଼ ସହ ପୋଡ଼ାଜଳା ଘଟଣା ଘଟିଥିଲା ।

ବିକ୍ଷୋଭ ପରେ ଶହ ଶହ ଲୋକଙ୍କୁ ଗିରଫ କରାଯାଇଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ହିଂସା ପରେ ଏହାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜାଭେଦ୍ ମହମ୍ମଦଙ୍କ ଘରକୁ ବେଆଇନ ନିର୍ମାଣ ବୋଲି ଦର୍ଶାଇ ବୁଲଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି।

ସୁପ୍ରିମକୋର୍ଟରେ ଦାୟର ଆବେଦନରେ କୁହାଯାଇଛି ଯେ ବିକ୍ଷୋଭକାରୀଙ୍କୁ ନିଜର ମତ ପ୍ରକାଶ କରିବା ଏବଂ ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବା ପରିବର୍ତ୍ତେ ୟୁପି ପ୍ରଶାସନ ଏଭଳି ଲୋକଙ୍କ ବିରୋଧରେ ‘ବୁଲଡୋଜର୍’ କାର୍ଯ୍ୟାନୁଷ୍ଠାନକୁ ଅନୁମତି ଦେଉଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଧିକାରୀମାନଙ୍କୁ ବିକ୍ଷୋଭକାରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.