କର୍ଣ୍ଣାଟକ ନିର୍ବାଚନ: ବିଜେପିକୁ ବଡ଼ ଝଟକା, କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପିକୁ ଲାଗିଛି ଆଉ ଏକ ବଡ଼ ଝଟକା। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ନ ପାଇ ବିଜେପି ଛାଡିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଆଜି (ଏପ୍ରିଲ ୧୭) କଂଗ୍ରେସରେ ସାମିଲ ହୋଇଛନ୍ତି । ବାଙ୍ଗାଲୋର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲାଙ୍କ ଉପସ୍ଥିତିରେ ଶେଟ୍ଟର ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।

ଶେଟ୍ଟର ଶନିବାର ବିଜେପିରୁ ଇସ୍ତଫା ଦେଇଥିଲେ । ତାଙ୍କୁ ମନାଇବା ପାଇଁ ବିଜେପିର ଉଦ୍ୟମ ବିଫଳ ହୋଇଥିଲା।

୬୭ ବର୍ଷୀୟ ଶେଟ୍ଟର ହୁବଲି-ଧରୱାଡ କେନ୍ଦ୍ରୀୟ ଆସନରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେ ପ୍ରଭାବଶାଳୀ ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଛନ୍ତି । ରାଜ୍ୟ ରାଜନୀତିରେ ତାଙ୍କର ବହୁତ ପ୍ରଭାବ ରହିଛି |

ବିଏସ୍ ୟେଦିୟୁରପ୍ପାଙ୍କ ଅନୁଗତ ଭାବେ ପରିଚିତ ଶେଟ୍ଟର ୨୦୧୨ରେ ସଦାନନ୍ଦ ଗୌଡାଙ୍କ ସ୍ଥାନରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଗୌଡାଙ୍କ ବିରୋଧରେ ୟେଦିୟୁରପ୍ପାଙ୍କ ବିଦ୍ରୋହ ଯୋଗୁଁ ମାତ୍ର ୧୧ ମାସ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ଗୌଡା ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ୟେଦିୟୁରପ୍ପାଙ୍କ ପରାମର୍ଶ କ୍ରମେ ତାଙ୍କ ବିଶ୍ଵସ୍ତ ଜଗଦୀଶ ଶେଟ୍ଟରଙ୍କୁ ଦଳୀୟ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ ।

ଜଗଦୀଶ ଶେଟ୍ଟର ମଧ୍ୟ ବିଜେପିର ରାଜ୍ୟ ସଭାପତି ରହିଛନ୍ତି । ସେ ବିଧାନସଭାର ବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।

ଶେଟ୍ଟରଙ୍କ ପୂର୍ବରୁ ଟିକେଟରୁ ବଞ୍ଚିତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦି, ବିଧାୟକ ଏମପି କୁମାରସ୍ୱାମୀ ଓ ବିଏମ୍ ମଲ୍ଲିକାର୍ଜୁନ ମଧ୍ୟ ବିଜେପିରୁ ଇସ୍ତଫା ଦେଇଥିଲେ । ବିଜେପି ଛାଡ଼ିବା ପରେ ଲକ୍ଷ୍ମଣ ସାବଦି କଂଗ୍ରେସରେ ସାମିଲ ହୋଇଥିଲେ। ତାଙ୍କୁ ମଧ୍ୟ ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଟିକେଟ୍ ଦେଇଛି ।

Comments are closed.