ମଣିପୁର ହିଂସା: ମୁମ୍ବାଇର ପୂର୍ବତନ ପୋଲିସ କମିଶନରଙ୍କ ତଦାରଖରେ ହେବ ସିବିଆଇ ତଦନ୍ତ, ତିନି ଜଣିଆ ଜଜଙ୍କ କମିଟି ବି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାରେ ସୋମବାର ପୁଣି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ରିଲିଫ ଏବଂ ଥଇଥାନ କାର୍ଯ୍ୟର ତଦାରଖ କରିବା ପାଇଁ କୋର୍ଟ ପୂର୍ବତନ ବିଚାରପତିଙ୍କ ଏକ କମିଟି ଗଠନ କରିଛନ୍ତି। ଏହାଛଡ଼ା ସିବିଆଇ ତଦନ୍ତ ତଦାରଖ ପାଇଁ ଜଣେ ପୂର୍ବତନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି।

ମଣିପୁର ହିଂସାର ସିବିଆଇ ତଦନ୍ତ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଦତ୍ତାତ୍ରେୟ ପାଟସଲଗିକରଙ୍କ ତଦାରଖରେ ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ନିର୍ଦ୍ଦେଶ ଦେଇଛନ୍ତି। ରିଲିଫ୍ ଏବଂ ଥଇଥାନ ଉପରେ ପରାମର୍ଶ ଦେବା ପାଇଁ ହାଇକୋର୍ଟର ପୂର୍ବତନ ଜଜଙ୍କ ଏକ କମିଟି ଗଠନ କରାଯିବା ଉଚିତ୍ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏହି କମିଟିରେ ଗୀତା ମିତ୍ତଲ, ଶାଲିନୀ ଯୋଶୀ ଏବଂ ଆଶା ମେନନ୍ ସାମିଲ ହେବେ | ହାଇକୋର୍ଟର ପୂର୍ବତନ ବିଚାରପତି ଗୀତା ମିତ୍ତଲ ଏହାର ନେତୃତ୍ୱ ନେବେ ।

ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମଣିପୁର ପୋଲିସ ଡ଼ିଜି ରାଜୀବ ସିଂହ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ସମ୍ମୁଖରେ ହାଜର ହୋଇଥିଲେ । ସେ ମଣିପୁର ହିଂସା ସମ୍ପର୍କରେ କୋର୍ଟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ‌।

ଏହା ପୂର୍ବରୁ ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ ଭେଙ୍କଟାରମଣି କହିଥିଲେ ଯେ ୬୫୦୦ ଏଫ୍ଆଇଆର୍ ଶ୍ରେଣୀଭୁକ୍ତ ହୋଇଛି ଓ‌ କୋର୍ଟଙ୍କ ଅନୁଧ୍ୟାନ ଲାଗି ଉପଲବ୍ଧ କରାଯାଇଛି।

ଉଲ୍ଲେଖଯୋଗ୍ୟ, ମଣିପୁର ହିଂସା ଓ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭାଇରାଲ ଭିଡିଓ ମାମଲାରେ ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ ରାଜ୍ୟର ପୋଲିସ ପ୍ରଶାସନ ଉପରେ ବର୍ଷିଥିଲେ । ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ବୋଲି ଟିପ୍ପଣୀ କରିଥିଲେ ଉଚ୍ଚତମ ନ୍ୟାୟାଳୟ ।

Comments are closed.