ଏନ୍ଏସ୍ଇ ସ୍କାମ୍: ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତ

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଏନ୍ଏସ୍ଇ ସ୍କାମ୍ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଚିତ୍ରା ରାମକୃଷ୍ଣ ଏକ ରହସ୍ୟମୟ ‘ଯୋଗୀ’ଙ୍କ ନିର୍ଦ୍ଦେଶରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଚଳାଉଥିଲେ ବୋଲି ଅଭିଯୋଗ ହୋଇଥିଲା ।

ଚିତ୍ର ରାମକୃଷ୍ଣଙ୍କୁ ଏହା ପୂର୍ବରୁ କୋର୍ଟ ୭ ଦିନିଆ ସିବିଆଇ ହାଜତକୁ ପଠାଇଥିଲେ। ତାଙ୍କ ରିମାଣ୍ଡ ଆଜି ସରିବା ପରେ ଏହି ମାମଲାର ଯାଞ୍ଚ କରୁଥିବା ସିବିଆଇ ସୋମବାର ଦିନ ତାଙ୍କୁ କୋର୍ଟରେ ହାଜର କରିଥିଲା । ଚିତ୍ର ରାମକୃଷ୍ଣଙ୍କ ରିମାଣ୍ଡ ବଢ଼ାଇବାକୁ ସିବିଆଇ ଆବେଦନ ପରେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ମାର୍ଚ୍ଚ ୨୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଏନ୍ଏସ୍ଇ ସ୍କାମ୍ ମାମଲାରେ ସିବିଆଇ ଚିତ୍ରା ରାମକୃଷ୍ଣଙ୍କୁ ମାର୍ଚ୍ଚ ୬ରେ ଗିରଫ କରିଥିଲା। ଏହାପୂର୍ବରୁ ଚିତ୍ରା କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ, ଯାହାକୁ କୋର୍ଟ ଖାରଜ କରିଥିଲେ। ସିବିଆଇ ଏକ ବିବୃତ୍ତିରେ କହିଛି ଯେ ଏହି ମାମଲାରେ ଜବତ ହୋଇଥିବା ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକର ଯାଞ୍ଚ କରାଯାଉଛି ଏବଂ ରାମକୃଷ୍ଣଙ୍କ ବିରୋଧରେ ତଦନ୍ତ ଜାରି ରହିବ।

ସିବିଆଇ ମେ ୨୦୧୮ ଠାରୁ ଏନ୍ଏସ୍ଇ କୋ-ଲୋକେସନ ସ୍କାମ ମାମଲାର ଯାଞ୍ଚ କରୁଛି | ତଥାପି ରହସ୍ୟମୟ ହିମାଳୟ “ଯୋଗୀ” କିଏ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳିପାରି ନାହିଁ, ଯାହାଙ୍କ ସହ ରାମକୃଷ୍ଣ ଗୋପନୀୟ ତଥ୍ୟ ପ୍ରଘଟ କରୁଥିଲେ ।

ଷ୍ଟକ୍ ଏକ୍ସଚେଞ୍ଜ ନିୟାମକ ‘ସେବି’ର ଏକ ରିପୋର୍ଟରେ ଚିତ୍ରା ରାମକୃଷ୍ଣ ଏକ ରହସ୍ୟମୟ “ଯୋଗୀ” ଙ୍କ ନିର୍ଦ୍ଦେଶ ପ୍ରକାରେ ବର୍ଷ ବର୍ଷ ଧରି ଏନ୍ଏସ୍ଇ ସମ୍ପର୍କିତ ସବୁ ନିଷ୍ପତ୍ତି ନେଉଥିଲେ ବୋଲି କୁହାଯାଇଥିଲା। ପରବର୍ତ୍ତୀ ଫରେନସିକ୍ ଅଡିଟ୍ ରେ ଆନନ୍ଦ ସୁବ୍ରମଣ୍ୟନଙ୍କୁ ରହସ୍ୟମୟ “ଯୋଗୀ” ଭାବରେ ବର୍ଣ୍ଣନା କରାଯାଇଥିଲା | ତେବେ ସେବି ଏହାର ଶେଷ ରିପୋର୍ଟରେ ଏହି ଦାବିକୁ ଖଣ୍ଡନ କରିଛି |

ଚିତ୍ରା ରାମକୃଷ୍ଣ ୨୦୧୩ରେ ଏନ୍ଏସ୍ଇର ସିଇଓ ହୋଇଥିଲେ | ପରେ ସେ ଆନନ୍ଦ ସୁବ୍ରମଣ୍ୟମଙ୍କୁ ତାଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲେ, ଯାହା ପରେ ବାର୍ଷିକ ୪.୨୧ କୋଟି ଟଙ୍କା ବେତନ ପ୍ୟାକେଜରେ ଆନନ୍ଦ ସୁବ୍ରମଣ୍ୟମ ଗ୍ରୁପ୍ ଅପରେଟିଂ ଅଫିସର୍ (ଜିଓଓ) ଭାବରେ ପଦୋନ୍ନତି ପାଇଥିଲେ |
ଏନ୍ଏସ୍ଇ ସ୍କାମ୍ ମାମଲାରେ ଆନନ୍ଦ ସୁବ୍ରମଣ୍ୟମଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା ।

Comments are closed.