ଦେଶ ଛାଡ଼ିବାର ଦୁଇ ମାସ ପରେ ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

କଲମ୍ବୋ: ପଳାୟନ କରିବାର ପ୍ରାୟ ଦୁଇ ମାସ ପରେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶୁକ୍ରବାର ଥାଇଲ୍ୟାଣ୍ଡରୁ ଶ୍ରୀଲଙ୍କା ଫେରିଛନ୍ତି। ଶ୍ରୀଲଙ୍କାରେ ଉତ୍କଟ ଅର୍ଥନୈତିକ ସଙ୍କଟ ମଧ୍ୟରେ ତାଙ୍କ ଇସ୍ତଫା ଦାବିରେ ମାସ ମାସ ଧରି ବିରୋଧ ପରେ ଜୁଲାଇ ୯ରେ ହିଂସାତ୍ମକ ଆନ୍ଦୋଳନ ପରେ ଗୋଟାବାୟା ରାଜପକ୍ଷେ ଜୁଲାଇ ୧୩ରେ ଦେଶ ଛାଡ଼ି ପଳାଇଥିଲେ। ସେତେବେଳେ ବିକ୍ଷୋଭକାରୀମାନେ କଲମ୍ବୋରେ ରାଷ୍ଟ୍ରପତିଙ୍କ ବାସଭବନ ସମେତ ଅନ୍ୟ ସରକାରୀ ଭବନ ଉପରେ ଆକ୍ରମଣ କରିଥିଲେ।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୋଟାବାୟା ରାଜପକ୍ଷେ ଶୁକ୍ରବାର ବିଳମ୍ବିତ ରାତିରେ କଲମ୍ବୋର ବାନ୍ଦରାନାଇକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ଶାସକ ଶ୍ରୀଲଙ୍କା ପୋଡୁଜାନା ପେରୁମୁନା (ଏସ୍ଏଲପିପି)ର ଅନେକ ମନ୍ତ୍ରୀ ଏବଂ ସାଂସଦ ପାଛୋଟି ନେଇଥିଲେ।

ଗୋଟାବାୟା ରାଜପକ୍ଷେ ଜୁଲାଇ ୧୩ରେ ଶ୍ରୀଲଙ୍କା ବାୟୁସେନା ବିମାନ ଦ୍ୱାରା କଲମ୍ବୋରୁ ପ୍ରଥମେ ମାଳଦ୍ୱୀପକୁ ଯାଇଥିଲେ। ମାଳଦ୍ୱୀପରୁ ସେ ପରେ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଥିଲେ । ଯେଉଁଠାରୁ ସେ ୧୪ ଜୁଲାଇରେ ତାଙ୍କ ଇସ୍ତଫା ଶ୍ରୀଲଙ୍କା ସଂସଦର ବାଚସ୍ପତିଙ୍କ ନିକଟକୁ ପଠାଇଥିଲେ। ପରେ ରାଜପକ୍ଷେ ଅସ୍ଥାୟୀ ଆଶ୍ରୟ ସନ୍ଧାନରେ ଥାଇଲ୍ୟାଣ୍ଡ ଯାଇଥିଲେ।

ଥାଇଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଡନ୍ ପ୍ରମୁଦବିନୟୀ କହିଛନ୍ତି ଯେ ରାଜପକ୍ଷେ ଜଣେ କୂଟନୈତିକ ପାସପୋର୍ଟ ଧାରକ ହୋଇଥିବାରୁ ଏଠାରେ କେବଳ ୯୦ ଦିନ ପର୍ଯ୍ୟନ୍ତ ରହିପାରିବେ।

Comments are closed.