ହିଥ୍ ଷ୍ଟ୍ରିକ୍ ଜୀବିତ, ସ୍ପଷ୍ଟ କଲେ ପୂର୍ବତନ ସାଥୀ ଖେଳାଳି

ହରାରେ: ଜିମ୍ବାୱେ ଦଳର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ହିଥ୍ ଷ୍ଟ୍ରିକ୍ ଜୀବିତ ଅଛନ୍ତି । କ୍ୟାନ୍ସରରେ ପୀଡ଼ିତ ଷ୍ଟ୍ରିକଙ୍କ ୪୯ ବର୍ଷ ବୟସରେ ପରଲୋକ ହୋଇଛି ବୋଲି ଖବର ପ୍ରକାଶ ପାଇଥିଲା । ତେବେ ତାଙ୍କ ପୂର୍ବତନ ସାଥୀ ଖେଳାଳି ହେନେରୀ ଓଲଙ୍ଗା ଏହି ଖବର ମିଛ ବୋଲି କହିଛନ୍ତି । ଷ୍ଟ୍ରିକ୍ ଜୀବିତ ଅଛନ୍ତି ବୋଲି ସେ ଟ୍ବିଟ୍ କରି ସ୍ପଷ୍ଟ କରିଛନ୍ତି ।

ପୂର୍ବରୁ ହେନେରୀ ଓଲଙ୍ଗା ହିଁ ଷ୍ଟ୍ରିକଙ୍କ ମୃତ୍ୟୁ ହୋଇଛି ବୋଲି ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ତେବେ ସେ ତାଙ୍କର ସେହି ପୋଷ୍ଟକୁ ଏବେ ଡିଲିଟ କରିଦେଇଛନ୍ତି ଓ ଷ୍ଟ୍ରିକ୍ ଜୀବିତ ବୋଲି ଦାବି କରିଛନ୍ତି।

ଓଲାଙ୍ଗା ତାଙ୍କ ଟ୍ୱିଟରେ ଲେଖିଛନ୍ତି, ମୁଁ ଏହା ନିଶ୍ଚିତ କରିପାରିବି ଯେ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଗୁଜବ ଖୁବ ଶୀଘ୍ର ବ୍ୟାପିଗଲା । ମୁଁ ଏବେ ତାଙ୍କ ସହ କଥା ହେଲି | ତୃତୀୟ ଅମ୍ପାୟାର ତାଙ୍କୁ ଫେରାଇ ଆଣିଛନ୍ତି। ସେ ଜୀବିତ ଅଛନ୍ତି ।

ବୋର୍ଡ ସହିତ ବିବାଦ କାରଣରୁ ଜିମ୍ବାୱେ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍ ମାତ୍ର ୩୧ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଷ୍ଟ୍ରିକ୍ ଜିମ୍ବାୱେ ପାଇଁ ୬୫ଟି ଟେଷ୍ଟ ଏବଂ ୧୮୯ଟି ଦିନିକିଆ ଖେଳିଛନ୍ତି | ସେ ଏହି ଦୁଇ ଫର୍ମାଟରେ ମୋଟ ୪୯୩୩ ରନ୍ ସହ ୪୫୫ ୱିକେଟ୍ ନେଇଥିଲେ।

ଷ୍ଟ୍ରିକ୍ ୨୦୦୫ ମସିହାରେ କୋଚିଂ କ୍ଷେତ୍ରରେ ପାଦ ଦେଇଥିଲେ । ସେ ଆଇପିଏଲ୍ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ ବ୍ୟତୀତ ବାଂଲାଦେଶ, ଜିମ୍ବାୱେର କୋଚ୍ ଦାୟିତ୍ବ ତୁଲାଇଥିଲେ । ୨୦୨୧ରେ ଆଇସିସି ଷ୍ଟ୍ରିକଙ୍କ ବିରୋଧରେ ଦୁର୍ନୀତି ନିବାରଣ ସଂହିତା ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୮ ବର୍ଷ ବାସନ୍ଦ କରିଥିଲା । ଚଳିତ ବର୍ଷ ଆରମ୍ଭରେ ତାଙ୍କ ପରିବାର ଏକ ବିବୃତ୍ତି ଜାରି କରି ଷ୍ଟ୍ରିକ୍ କ୍ୟାନ୍ସରରେ ପୀଡ଼ିତ ବୋଲି ସୂଚନା ଦେଇଥିଲା । ଦକ୍ଷିଣ ଆଫ୍ରିକାରେ ତାଙ୍କର ଚିକିତ୍ସା ଚାଲିଥିବା କୁହାଯାଇଥିଲା ।

Comments are closed.