ଜିମ୍ବାୱେର ପୂର୍ବତନ ଖେଳାଳି ଟେଲରଙ୍କ ଅଭିଯୋଗ, ବ୍ଲାକମେଲ୍ କରି ସ୍ପଟ୍ ଫିକ୍ସିଂ କରିବାକୁ ଚାପ ପକାଉଥିଲେ ଭାରତୀୟ ବୁକି

ହରାରେ: କ୍ରିକେଟରେ ପୁଣି ଥରେ ସ୍ପଟ୍ ଫିକ୍ସିଂ ନେଇ ଏକ ବଡ ଖୁଲାସା ହୋଇଛି | ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ବ୍ରେଣ୍ଡନ୍ ଟେଲର ଏହି ବିସ୍ଫୋରକ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଜଣେ ଭାରତୀୟ ବୁକି ଏବଂ ବ୍ୟବସାୟୀ ସ୍ପଟ୍ ଫିକ୍ସିଂ ପାଇଁ ପ୍ରସ୍ତାବ ଦେଇଥିଲେ । ଟେଲର କହିଛନ୍ତି ଯେ ଯେତେବେଳେ ସେ ସେହି ବୁକିଙ୍କୁ ଭେଟିଥିଲେ, ସେ କୋକେନ ନେଇଥିଲେ ଏବଂ ପରେ ତାଙ୍କୁ ଏହି କାରଣରୁ ବ୍ଲାକମେଲ କରାଯାଇଥିଲା | ଟେଲର ଆଶଙ୍କା କରୁଛନ୍ତି ଯେ ଆଇସିସି ତାଙ୍କୁ କିଛି ବର୍ଷ ପାଇଁ ବାସନ୍ଦ କରିପାରେ |

ଟେଲର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଜିମ୍ବାୱେରେ ଏକ ଟି-୨୦ ଲିଗ୍ ଆରମ୍ଭ କରିବାର ଯୋଜନା ସମ୍ପର୍କରେ ମୋତେ କୁହାଯାଇଥିଲା । ଏବଂ ଭାରତ ଆସିବାକୁ ୧୫ ହଜାର ଡଲାର୍ ମଧ୍ୟ ଦିଆଯାଇଥିଲା। ଆମେ ଜିମ୍ବାୱେ ବୋର୍ଡରୁ ୬ ମାସ ଧରି ଦରମା ପାଇନଥିଲୁ ଏବଂ ନିକଟ ଭବିଷ୍ୟତରେ ମଧ୍ୟ ପାଇବାର କଣସି ସମ୍ଭାବନା ନଥିଲା | ତେଣୁ ମୁଁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲି, ଯେଉଁଠାରେ ମୁଁ ବ୍ୟବସାୟୀ ଏବଂ ତାଙ୍କ ସହଯୋଗୀମାନଙ୍କ ସହିତ ରାତ୍ରୀ ଭୋଜନରେ ଯୋଗ ଦେଇଥିଲି |

ଟେଲର ଆହୁରି କହିଛନ୍ତି, ‘ମୋତେ ପ୍ରଥମେ କୋକେନ୍ ଦିଆଯାଇଥିଲା ଏବଂ ପରେ ଏହାର ଭିଡିଓ ପ୍ରସ୍ତୁତ କରାଯାଇଥିଲା। ସେଠାରେ ମଦପାନ ଚାଲିଥିବାବେଳେ ମୋତେ କୋକେନ୍ ଦିଆଯାଇଥିଲା | ସେହି ଲୋକମାନେ କୋକେନ୍ ନେଉଥିଲେ, ତେଣୁ ମୁଁ ମଧ୍ୟ ଏହାକୁ ନେଇଥିଲି | ପରଦିନ ସକାଳେ ବ୍ୟବସାୟୀ ଜଣକ ମୋ କୋଠରୀକୁ ଆସି ମୋତେ ମୋର ଭିଡିଓ ଦେଖାଇଲେ | ମୋତେ କୋକେନ ନେଉଥିବାର ଏକ ଭିଡିଓ ଦେଖାଯାଇଥିଲା ଏବଂ ମୋତେ ତାଙ୍କ ପାଇଁ ଏକ ଆନ୍ତର୍ଜାତୀୟ ମ୍ୟାଚରେ ସ୍ପଟ୍-ଫିକ୍ସ କରିବାକୁ କହିଥିଲେ, ନଚେତ୍ କୋକେନ୍ ନେବାର ଭିଡିଓ ଲିକ୍ କରିଦେବାକୁ ଧମକ ଦେଇଥିଲେ |

ଟେଲର କହିଛନ୍ତି ଯେ ହୋଟେଲ ରୁମରେ ତାଙ୍କୁ ୬ ଜଣ ଲୋକ ଘେରି ରହିଥିଲେ । ଏହା ପରେ ତାଙ୍କୁ ୧୫ ହଜାର ଡଲାର ଦିଆଯାଇଥିଲା ଏବଂ ପ୍ରସ୍ତାବିତ ସ୍ପଟ ଫିକ୍ସିଂ ସମ୍ପର୍କରେ କୁହାଗଲା । କାମ ସରିବା ପରେ ଆଉ ୨୦ ହଜାର ଡଲାର ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ମୁଁ ମୋ ଜୀବନ ବଞ୍ଚାଇବାକୁ ଚାହୁଁଥିଲି, ତେଣୁ ମୁଁ ସେହି ଟଙ୍କା ରଖଥିଲି ଯାହା ଫଳରେ ମୁଁ ଘରକୁ ଯେମିତି ଫେରି ଆସିବି |

ଟେଲର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଯେତେବେଳେ ସେ ଘରକୁ ଆସିଲେ, ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ସେ ମାନସିକ ଅବସାଦରେ ଥିଲେ ଏବଂ ଲଗାତାର ଔଷଧ ଖାଉଥିଲେ | ଏହା ପରେ ବ୍ୟବସାୟୀ ଜଣକ ତାଙ୍କୁ ଦେଇଥିବା ଟଙ୍କାର ହିସାବ ଦେବାକୁ ମଧ୍ୟ ଚାପ ପକାଉଥିଲେ। ପ୍ରାୟ ଚାରିମାସ ଧରି ଏସବୁ ଯନ୍ତ୍ରଣା ଭୋଗିବା ପରେ ବ୍ରେଣ୍ଡନ୍ ଟେଲର ଆଇସିସିକୁ ଏ ବିଷୟରେ କହିଥିଲେ।

Comments are closed.